କନକ ବ୍ୟୁରୋ: ନିଜ ଦଳ ବିଜେପିକୁ ୨୦୦୦ ଟଙ୍କା ଚାନ୍ଦା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଆର୍ଥିକ ରୂପରେ ଅଧିକ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡୋନେସନ୍ ଫର୍ ନେସନ୍ ବିଲ୍ଡିଂ’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ମୋଦୀ ପ୍ରଥମେ ନିଜ ଦଳକୁ ଚାନ୍ଦା ଦେଇ ଏହାର ରସିଦ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ସୋସିଆଲ୍ ମିଡିଆ (ଏକ୍ସ)ରେ ନରେନ୍ଦ୍ର ମୋଦୀ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ବିଜେପିକୁ ଏହି ଯୋଗଦାନ ଦେଇ ଏକ ବିକଶିତ ଭାରତ ନିର୍ମାଣର ପ୍ରୟାସକୁ ଅଧିକ ମଜଭୁତ କରିଥିବାରୁ ଖୁସି ଲାଗୁଛି । ଏଥିସହ ସମସ୍ତେ ନମୋ ଆପ୍ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଏହି ଯୋଗଦାନର ଅଂଶୀଦାର ହେବାକୁ ପିଏମ୍ ମୋଦୀ ଆହ୍ୱାନ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ସାଧାରଣ ଲୋକମାନେ ବିଜେପିକୁ କିପରି ଚାନ୍ଦା ଦେଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି । ଏହି ଲିଙ୍କରେ କ୍ଲିକ୍ କରିବା ପରେ ଏକ ପେଜ୍ ଖୋଲିବ । ଯେଉଁଠି ଆବଶ୍ୟକୀୟ ସୂଚନା ଦେଇ ଜଣେ ବ୍ୟକ୍ତି ବିଜେପିକୁ ନିଜର ଆର୍ଥିକ ଯୋଗଦାନ ଦେଇପାରିବେ । ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦୀଙ୍କ ସହିତ ବିଜେପିର କିଛି ନେତା ମଧ୍ୟ ବିଜେପିକୁ ଡୋନେସନ୍ ଦେବା ଆରମ୍ଭ କରିଦେଇଛନ୍ତି ।

ଗତକାଲି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ଲିଷ୍ଟରେ ପିଏମ୍ ନରେନ୍ଦ୍ର ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାଁ ରହିଛି । ପିଏମ୍ ମୋଦୀ ପୁଣିଥରେ ବାରଣାସୀରୁ ନିର୍ବାଚନ ଲଢିବା ପକ୍କା ହେଇଛି । ତା ସହିତ ଅମିତ ଶାହା ପୁଣିଥରେ ଗାନ୍ଧୀନଗରରୁ ନିର୍ବାଚନ ଲଢିବେ । ସେହିପରି ରାଜନାଥ ସିଂହ ଲକ୍ଷ୍ନୌରୁ ଏବଂ ସ୍ମୃତି ଇରାନୀ ଆମେଥୀରୁ ନିର୍ବାଚନ ଲଢିବେ ।