କରୋନା ସ୍ଥିତି ନେଇ ଆଜି ଡାକ୍ତର ଓ ଔଷଧ କମ୍ପାନୀ ମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଆଲୋଚନା

117

କନକ ବ୍ୟୁରୋ : ଦେଶକୁ କବଳିତ କରିଥିବା କରୋନା ଭୂତାଣୁ ଏବେ ଭୟାନକ ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟାରେ ଦେଶର ବରିଷ୍ଠ ଡାକ୍ତର ଓ ଔଷଧ କମ୍ପାନୀ ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ବୋଲି ଜଣାପଡଇଛି । ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଅପରାହ୍ନ ୪.୩୦ ରେ ଡାକ୍ତର ମାନଙ୍କ ସହ ଆଲୋଚନା କରିବେ ଓ ସନ୍ଧ୍ୟା ୬ ଟା ବେଳେ ଔଷଧ କମ୍ପାନୀ ମାନଙ୍କ ସହ ଆଲୋଚନା କରିବେ ।

ଦେଖିବାକୁ ଗଲେ କରୋନାର ଏହି ଦ୍ୱିତୀୟ ଲହରରେ ଚାରିଆଡୁ ସ୍ୱାସ୍ଥ୍ୟସେବାକୁ ନେଇ  ପ୍ରଶ୍ନ ଉଠୁଛି । କେଉଁଠି ବେଡର ଅଭାବ ତ କେଉଁଠି ଅକ୍ସିଜେନର ଅଭାବ ପୁଣି କେଉଁଠି ଔଷଧର ଅଭାବ ତ କେଉଁଠି ଡାକ୍ତରଙ୍କ ଅଭାବ । ଏଭଳି ସ୍ଥିତିରେ କୁହାଯାଉଛି କି ପ୍ରଧାନମନ୍ତ୍ରୀ ଆଜି ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିପାରନ୍ତି ।

ଦେଶରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣ ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି । ଅନ୍ୟପଟେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ମାନେ ନାଇଟ୍ କର୍ଫ୍ୟୁ ଓ ମିନି ଲକଡାଉନ୍ ଭଳି ବ୍ୟବସ୍ଥାକୁ ଆପଣାଇଛନ୍ତି । କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।