ଉପରାଷ୍ଟ୍ରପତି ପାଇଁ ଚାଲିଛି ମତଦାନ । ସଂସଦ ଭବନରେ ପହଞ୍ଚି ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । 

153

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପଡୁଛି ଭୋଟ । କେବଳ ସଂସଦର ସଦସ୍ୟ ଭୋଟ୍ ଦେଇ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ କରିବେ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭବନରେ ପହଞ୍ଚି  ନିଜର ଭୋଟ ଦେଇଛନ୍ତି ।  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ସାଂସଦଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଜଣକ ପରେ ଜଣେ ସାଂସଦ ଭୋଟ ଦେଉଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ । ମନୋନୀତ ସଦସ୍ୟଙ୍କ ସହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେବେ । ଏଥର ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଛି । ଏଥି ମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ରହିଛନ୍ତି । ସେହିପରି ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ରହିଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସହଜରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ।

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଛି । ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମକେ, , ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରୁଛନ୍ତି । କିନ୍ତୁ ଆଲଭାଙ୍କ ବିଜୟ ପାଇଁ ଏହା ଯଥେଷ୍ଟ ହେବ ନାହିଁ ।