ଅହମ୍ମଦାବାଦରେ ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ , ଆତଙ୍କବାଦର IED ଠାରୁ ଅଧିକ ଶକ୍ତିଶାଳୀ ଲୋକତନ୍ତ୍ରର VID ।

148

ଲୋକସଭା ନିର୍ବାଚନ ୨୦୧୯ ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ପଡିବ । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି । ଭିଆଇପି ନେତାଙ୍କ ଲିଷ୍ଟରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ରହିଛି । ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦର ନିଶାନ୍ ସ୍କୁଲରେ ପହଂଚି ନିଜ ଭୋଟ୍ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଖୋଲା ଜିପରେ ବସି ପୋଲିଙ୍ଗ୍ ବୁଥରେ ପହଂଚିଥିଲେ । ମୋଦିଙ୍କୁ ସ୍ୱାଗତ କରିଥିଲେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ । ଏଠାରେ ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅମିତ୍ ଶାହଙ୍କ ପରିବାର ସହ ମଧ୍ୟ ମିଶିଥିଲେ । ଏହି ସମୟରେ ସେ ଜୟ ଶାହଙ୍କ କୁନିଝିଅକୁ ମଧ୍ୟ କୋଳରେ ଧରି ଖେଳାଇବାର ନଜର ଆସିଥିଲେ । ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ପହଂଚି ମା’ଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ମା’ଙ୍କ ହାତରୁ ମିଠା ଖାଇ ସେ ଆଶୀର୍ବାଦ ସ୍ୱରୁପ ମାଙ୍କୁ ଚୁନରି ଦେଇଥିଲେ । ଏବଂ ମତଦାନ ଦେବାକୁ ଗାନ୍ଧୀନଗରରେ ପହଂଚିଥିଲେ । ଏହାପୁର୍ବରୁ ଗତଥର ମୋଦି ଭୋଟ୍ ଦେବା ପରେ ପଦ୍ମଫୁଲ ଷ୍ଟିକର ସହ ପୋଲିଙ୍ଗ୍ ବୁଥ୍ ପାଖରେ ସେଲ୍ଫି ନେଇଥିଲେ । ଯାହା ଅନେକ ବିବାଦକୁ ଡାକି ଆଣିଥିଲା ।

ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଆଜି ସଂପୁର୍ଣ୍ଣ ଦେଶରେ ତୃତୀୟ ଚରଣରେ ମତଦାନ ହେଉଛି । ଏହା ମୋ ସୌଭାଗ୍ୟ ଯେ ଆଜି ମୋତେ ଭୋଟ୍ ଦେବାକୁ ମଉକା ମିଳିଲା । ମୋଦି କହିଥିଲେ ମୋ ପାଇଁ ଏହା ଗୌରବର କଥା ଯେ ମୋ ଗୃହରାଜ୍ୟରେ ମୁଁ ଆଜି ଭୋଟ୍ ଦେଇଛି । ଯେଭଳି କୁମ୍ଭରେ ସ୍ନାନ କରି ଆନନ୍ଦ ମିଳିଥାଏ ଆଜି ଭୋଟ୍ ଦେଇ ସେଭଳି ପ୍ରତୀତ ହେଉଛି । ମୋଦି କହିଥିଲେ ଯେ ପ୍ରଥମଥର ପାଇଁ ଯେଉଁମାନେ ଭୋଟ୍ ଦେଉଛନ୍ତି ସେମାନଙ୍କର ହାତରେ ହିଁ ସବୁକିଛି ରହିଛି । ତେଣୁ ସେ ନୂଆ ମତଦାତାଙ୍କୁ ଶହେ ପ୍ରତିଶତ ଭୋଟ୍ ଦେବା ପାଇଁ କହିଛନ୍ତି । ମୋଦି କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦର ଶସ୍ତ୍ର ଆଇଇଡି ଥିବାବେଳେ ଲୋକତନ୍ତ୍ରର ଶକ୍ତି ଭୋଟର ଆଇଡି (ଭିଆଇଡି) ହୋଇଥାଏ ।