ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସଂପତ୍ତି କେତେ ? ତାଙ୍କ ପାଖରେ ରହିଛି କଣ ଓ କେଉଁଠୁ କେତେ କରିଥାନ୍ତି ରୋଜଗାର

407

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ମୁତାବକ ସେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ବଡନଗର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ଠାରୁ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ମାସିକ କେତେ ଟଙ୍କା ଦରମା ପାଇଥାନ୍ତି ଓ ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ଏକ ସୂଚନା ସେୟାର କରାଯାଇଛି । ପ୍ରଧାନମନ୍ତ୍ରୀ ଦେଶର ରାଜକୋଷରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଦରମା ନେଇଥାନ୍ତି । ଏହି ହିସାବକୁ ନଜର କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ଦରମା ପାଖାପାଖି ୨ଲକ୍ଷ ଟଙ୍କା । ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ଏହି ଦରମା ମଧ୍ୟରେ ମୂଳ ବେତନ ବ୍ୟତୀତ ଦୈନିକ ଆଲାଉନ୍ସ, ସାଂସଦ ଭତ୍ତା ସମେତ ଅନେକ କିଛି ସାମିଲ ରହିଛି ।

୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ବାବଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ସୂଚନା ମୁତାବକ ମୋଦୀଙ୍କ ପାଖରେ ମୋଟ ୨.୨୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହି ସମ୍ପତ୍ତି ମଧ୍ୟରୁ ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟର ଜମାରାଶି ଅଟେ ।

ସବୁଠାରୁ ବଡକଥା ହେଉଛି ମୋଦୀଙ୍କ ପାଖରେ କୌଣସି ଅଚଳ ସମ୍ପତ୍ତି ନାହିଁ । ଗୁଜରାଟର ଗାନ୍ଧୀନଗରରେ ଥିବା ଏକ ଜମିକୁ ସେ ଦାନ କରିଦେଇଛନ୍ତି । ଏହା ସହ ମୋଦୀଙ୍କର ନାମରେ କୌଣସି ବଣ୍ଡ, ଷ୍ଟକମାର୍କେଟରେ ସେୟାର କିମ୍ବା ମ୍ୟୁଚାଲ ଫଣ୍ଡରେ ନିବେଶ ନାହିଁ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ନାମରେ ନିଜସ୍ୱ କୌଣସି ବାହାନ ନାହିଁ । ହେଲେ ୨୦୨୨ ଡାଟା ମୁତାବକ ତାଙ୍କ ପାଖରେ ୧.୭୩ ଲକ୍ଷ ଟଙ୍କାର ୪ଟି ସୁନାର ମୋଦୀ ରହିଛି । ଯଦି ସଞ୍ଚୟ କଥା କହିବା ତେବେ ଡାକଘରେ ୯,୦୫,୧୦୫ ଟଙ୍କାର ନ୍ୟାସନାଲ ସେଭିଂସ ସାର୍ଟିଫିକେଟ ସହ ୧,୮୯,୩୦୫ ଟଙ୍କାର ଜୀବନବୀମା ପଲିସି ରହିଛି ।