ସ୍ୱାର୍ଥପର ଦୁନିଆର ସଚ୍ଚୋଟ ମଣିଷ : ମୋଦିଙ୍କ “ମନ୍ କି ବାତ୍” ରେ ମନ ଜିଣିନେଲେ ଦିବ୍ୟାଙ୍ଗ ଭିକାରୀ ରାଜୁ। ତାଲାବନ୍ଦରେ ଭୋକିଲାଙ୍କ ଦୁଃଖ ବୁଝିଲେ , ସହାୟତାର ହାତ ବଢାଇଲେ

189

କରୋନାର ଏହି ସଂକଟ ସମୟରେ ଦେଶବାସୀ ପରସ୍ପରଙ୍କୁ ସହାୟତାର ହାତ ବଢାଇ ଆଗକୁ ଚାଲିଛନ୍ତି । କିଏ ଲୋକଙ୍କୁ ଖାଦ୍ୟପେୟ ବାଣ୍ଟୁଛି ତ ଆଉ କିଏ ସୁରକ୍ଷା ପାଇଁ ମାସ୍କ୍ । କିଏ ଘରକୁ ଯିବାରେ ସାହାଯ୍ୟ କରୁଛି ତ ଆଉ କିଏ ସମ୍ବଳ ଅନୁସାରେ ଆର୍ଥିକ ସହାୟତା କରୁଛନ୍ତି । ଦେଶରେ ସଂକଟ ସାଙ୍ଗକୁ ସହାୟତାର ଉଦାହରଣ ମଧ୍ୟ ଦେଖିବାକୁ ମିଳୁଛି ।

ଏହି ସମୟରେ ରବିବାର ଦେଶବାସୀଙ୍କୁ ମନ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲକଡ଼ାଉନ୍ ଭିତରେ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଥିବା ପଠାନକୋଟ୍ ର ଦିବ୍ୟାଙ୍ଗ ରାଜୁଙ୍କ ବିଷୟରେ ଚର୍ଚ୍ଚା କରି ସେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗ ରାଜୁ ଲକଡ଼ାଉନ୍ ସମୟରେ ନିରୀହ ଲୋକଙ୍କୁ ମାସ୍କ୍ ଏବଂ ରାଶନ୍ ବାଣ୍ଟୁଥିବା କଥା ସେ କହିଥିଲେ । ପଞ୍ଜାବ ପଠାନକୋଟର ଦିବ୍ୟାଙ୍ଗ ଭିକାରୀ ଏଭଳି ସଂକଟ ସମୟରେ ବି କରୋନା ଯୋଦ୍ଧା ହୋଇ ସାମ୍ନାକୁ ଆସିଛନ୍ତି । ଭିକ ମାଗି ପେଟ ପୋଷୁଥିବା ଦିବ୍ୟାଙ୍ଗ ରାଜୁ ୧୦୦ ରୁ ଅଧିକ ଗରିବ ପରିବାରକୁ ୧ ମାସର ଖାଦ୍ୟସାମଗ୍ରୀ ବାଣ୍ଟିବା ସହ ୩୦୦୦ ରୁ ଅଧିକ ମାସ୍କ୍ ବାଣ୍ଟି ସାରିଛନ୍ତି ।

ଟ୍ରାଇସାଇକେଲରେ ବସି ଭିକ୍ଷାବୃତି କରୁଥିବା ରାଜୁ ଟଙ୍କା ଜମା କରି ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଖାଲି ଏତିକି ନୁହଁ ଏହି ଟଙ୍କାରେ ସେ କିଛି ଗରିବ ଯୁବତୀଙ୍କ ବିବାହ ମଧ୍ୟ କରିସାରିଲେଣି । ରାଜୁଙ୍କ କହିବାନୁସାରେ , ସେ ଭିକ୍ଷାବୃତି କରି ଯେତିକି ଖର୍ଚ୍ଚ କରିବା କଥା କରନ୍ତିି । ବଳକା ଟଙ୍କା ଜମା କରି ଗରିବ ଲୋକଙ୍କ ସହାୟତା କରନ୍ତି । ଖାଲି ଏତିକି ନୁହଁ ପଠାନକୋଟ୍ ଢାଙ୍ଗୁ ରୋଡର ପୋଲ ଭାଙ୍ଗିଯିବା କାରଣରୁ ଲୋକଙ୍କୁ ଯାତାୟତରେ ଖୁବ୍ ଅସୁବିଧା ହେଉଥିଲା । ଲୋକେ ପ୍ରଶାସନ କବାଟ ବାଡେଇ ବାଡେଇ ନୟାନ୍ତ ହୋଇଥିଲେ । ସେତେବେଳେ ରାଜୁ ନିଜ ଜମା ଟଙ୍କାରେ ଏହି ପୋଲକୁ ଠିକ୍ କରିଥିଲା । ଯାହା ସେହି ସମୟରେ ପଞ୍ଜାବ ଗଣମାଧ୍ୟମର ବ୍ରେକିଙ୍ଗ୍ ନ୍ୟୁଜ୍ ପାଲଟିଥିଲା ।

ରାଜୁଙ୍କ କହିବାନୁସାରେ , ପରିବାର କଳହ କାରଣରୁ ତାଙ୍କୁ ଘର ଛାଡି ଭିକ୍ଷାବୃତି କରିବାକୁ ପଡ଼ିଥିଲା । ସେ କୁହନ୍ତି , ଶେଷ ସମୟରେ ତାଙ୍କ ଶବକୁ କାନ୍ଧ ଦେବାରେ ଲୋକ ଯେମିତି ପଛଘୁଞ୍ଚା ନ ଦିଅନ୍ତୁ ସେଥିପାଇଁ ସେ ଏଭଳି କାମ କରିଆସୁଛନ୍ତି । ଭିକାରୀଙ୍କ ଜୀବନ ସଡ଼କର କୋଣରୁ ଆରମ୍ଭ ହୋଇ ସେଠାରେ ହିଁ ଶେଷ ହୋଇଯାଉ ଶବ୍ଦକୁ ସେ ଭୁଲ୍ ପ୍ରମାଣିତ କରିବାକୁ ଚାହୁଁଛନ୍ତି ।