ସାବାଡ ହେବେ ଆତଙ୍କବାଦୀ ! ଦ୍ୱିପାକ୍ଷିକ ଆଲୋଚନା ପରେ ସାଉଦି କ୍ରାଉନ ପ୍ରିନ୍ସ କହିଲେ, ଭାରତ ସହ ଅଛି ସାଉଦି ଆରବ ।

384

କନକ ବ୍ୟୁରୋ: ଆତଙ୍କବାଦୀ ମୁକାବିଲା କିଭଳି ହେବ ସେନେଇ ଭାରତକୁ ପୂର୍ଣ୍ଣ ସମର୍ଥନ କରିବ ସାଉଦି ଆରବ  । ଏନେଇ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପ୍ରତିଶ୍ରୁତି ଦେଇଛନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆତଙ୍କବାଦୀ ମୂଳପୋଛ  ଓ ବାଣିଜ୍ୟ କ୍ଷେତ୍ରକୁ ନେଇ ଆଲୋଚନା ହୋଇଛି । ଏହାପରେ ଉଭୟ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିପାଖିକ ଆଲୋଚନା ପରେ ଏନେଇ ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ କହିଛନ୍ତି ଯେ, ଏବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସେହି ଦେଶମାନଙ୍କ ଉପରେ ଉଭୟ ଚାପ ପକାଇବା ପାଇଁ ପଣ ନେଇଛନ୍ତି । କାରଣ ଆତଙ୍କବାଦୀ ବିଶ୍ୱ ପାଇଁ ସଙ୍କଟ ଭାବେ ଛିଡ଼ା ହୋଇଛି । ତେଣୁ ଭାରତକୁ ସବୁ ପ୍ରକାର ସହାୟତା ଦେବାକୁ ଆମେ ପ୍ରସ୍ତୁ୍ତ । ବିଶେଷ କରି ଗୁଇନ୍ଦା ବିଭାଗ କ୍ଷେତ୍ରରେ ଭାରତର ସାଥ୍ ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ସାଉଦି ପ୍ରିନ୍ସ ।

ଅନ୍ୟପଟେ ଉଭୟ ଦେଶ ମଧ୍ୟରେ ୫ଟି ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଭାରତରେ ସାଉଦି ଆରବ ପୁଞ୍ଜି ନିବେଶ କରିବ । ଯାହାକି ଭାରତର ଶିଳ୍ପ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ପ୍ରମୂଖ ଭୂମିକା ନିର୍ବାହ କରିବ । ସେହିଭଳି ଏହି ଆଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ପ୍ରିନ୍ସଙ୍କୁ ପୁଲୱାମା ଆତଙ୍କୀ ହମଲା ବିଷୟରେ ଅବଗତ କରାଇଥିଲେ । ଏନେଇ ସାଉଦି ଆରବ ପ୍ରିନ୍ସ ଦୁଃଖ ପ୍ରକାଶ କରି ଏହାର କଡ଼ା ଜବାବ ଦେବାକୁ ଭାରତକୁ ଉତ୍ସାହିତ କରିଛନ୍ତି ବୋଲି ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି ।