ଯବାନଙ୍କ ସହ ଦୀପାବଳି ପାଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୀମାରେ ଥାଇ ବି ଚୀନକୁ ଦେଲେ କଡା ବାର୍ତ୍ତା; କହିଲେ, ବୀର ଯବାନଙ୍କ ତ୍ୟାଗ ଅତୁଳନୀୟ, ଦେଶର ସୁରକ୍ଷା ପାଇଁ କାହା ସହ କରାଯିବନି ସାଲିସ୍

121

କନକ ବ୍ୟୁରୋ: ସୀମାରୁ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଭାରତୀୟ ସୀମା ଉପରେ ନଜର ପକାଉଥିବା ବିଦେଶୀ ଶକ୍ତିଗୁଡ଼ିକ ପାଇଁ କଡ଼ା ବାର୍ତା ଦେଇଛନ୍ତି ନରେନ୍ଦ୍ର ମୋଦି । ଲଙ୍ଗେୱାଲା ଲଢ଼େଇର କଥା କହି ଭାରତୀୟ ବୀର ଯବାନଙ୍କ ସାହସର ଓ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦି । ଦେଶର ସେନା ଓ ଯବାନଙ୍କ ଆବଶ୍ୟକତା ପୁରଣ କରିବା ଦେଶର ପ୍ରାଥମିକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ଘରେ ବସି ମାରିବାର ସାମର୍ଥ୍ୟ ରଖିଛି ଭାରତୀୟ ସେନା । ଆଉ ଏହାର ପ୍ରମାଣ ମଧ୍ୟ ଦେଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୋଦି । ଦେଶର ଏକତା ଓ ଅଖଣ୍ଡତା ପାଇଁ ଆମେ ପ୍ରସ୍ତୁତ ଏବଂ ଆବଶ୍ୟକ ସମୟରେ ରାଜନୈତିକ ନିଷ୍ପତି ନେବା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିଥର ଭଳି ଏଥର ମଧ୍ୟ ନରେନ୍ଦ୍ର ମୋଦୀ ଯବାନଙ୍କ ଗହଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ରାଜସ୍ଥାନର ଜୈସଲମେର ସୀମାରେ ଏଥର ଦୀପାବଳି ପାଳନ କରିଛନ୍ତି ମୋଦି ।

କହିରଖୁଛୁ ଯେ, ଦେଶର ସାମରିକ ଇତିହାସରେ ଲୋଙ୍ଗେୱାଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ୧୯୭୧ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା | ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ସେନା କରିଥିବା ଆକ୍ରମଣର ଯେଉଁଭଳି ଭାବରେ ଜବାବ ଦେଇଥିଲା, ତାହା ପାକିସ୍ତାନ ଏପର୍ଯ୍ୟନ୍ତ ଭୁଲି ନାହିଁ। ଡିସେମ୍ବର ୪, ୧୯୭୧ରେ ହୋଇଥିବା ଯୁଦ୍ଧରେ ଭାରତର ୧୨୦ ସେନା ଯବାନ ପାକିସ୍ତାନର ୩୦୦୦ ସେନା ଯବାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଏହି ଯୁଦ୍ଧରେ ପାକିସ୍ତାନକୁ ୩୪ଟି ଟ୍ୟାଙ୍କ, ୫୦୦ ଯାନ ଏବଂ ୨୦୦ ଯବାନଙ୍କୁ ହରାଇବାକୁ ପଡିଥିଲା।

ତେବେ ଗତ ବର୍ଷ ଅକ୍ଟୋବର ୨୭, ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେନା ପୋଷାକରେ ପିଏମ ମୋଦି ଯବାନଙ୍କ ଗହଣ‌ରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ମିଠା ଖୁଆଇଥିଲେ। ଏହାପୂର୍ବରୁ ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଉତ୍ତରକାଶୀରେ ସେନା ଏବଂ ଆଇଟିବିପି ଯବାନଙ୍କ ଗହଣ‌ରେ ଦୀପାବଳି ପାଳନ କରିଥିଲେ।