ନଭେମ୍ବରରେ ୪ ଥର ୟୁପି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଦେଇପାରେ ବଡ ଫାଇଦା

64

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭାକୁ ଆଖି ଆଗରେ ରଖି ଏବେଠୁ ସେଠାରେ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେପି । ଗତକାଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏନେଇ ମାନସମନ୍ଥନ ହେବା ପରେ, ଚଳିତ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ୪ ଥର ୟୁପି ଗସ୍ତରେ ଯିବା ନେଇ ଖବର ମିଳିଛି । କୁହାଯାଉଛି ମୋଦୀଙ୍କ ଏହି ଗସ୍ତରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ବଡ ବଡ ଜନସଭାକୁ ସମ୍ବୋଧିତ ମଧ୍ୟ କରିବେ । ଯାହା ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଫାଇଦା ଦେଇପାରେ ।

ମିଳିଥିବା ସୂଚନା ମୁତାବକ, ପିଏମ୍ ମୋଦୀ ଚଳିତ ମାସରେ ୟୁପି ଗସ୍ତରେ ଯାଇ ସୁଲତାନପୁର, ଝାନସୀ , ଲକ୍ଷ୍ନୌ  ଓ ଗ୍ରେଟର ନୋଏଡା ଯିବେ । ନଭେମ୍ବର ୧୬ ତାରିଖରେ ମୋଦୀ ସୁଲତାନପୁରରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଶୁଭାରମ୍ଭ କରିବା ସହିତ ସେଠାରେ ଏକ ବଡ ଜନସଭାକୁ ସମ୍ବୋଧିତ କରିବେ । ସେହିପରି ୨୫ ନଭେମ୍ବରରେ ମୋଦୀ ଗ୍ରେଟର ନୋଏଡାରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଶିଳାନ୍ୟାସ କରିବେ ।

ଅନ୍ୟପଟେ ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଝାନସୀ ଯାଇପାରନ୍ତି । ଯେଉଁଠି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ହେବ । ତା ସହିତ ମୋଦୀ ସେଠାରେ ଜନସଭାକୁ ସମ୍ବୋଧିତ ମଧ୍ୟ କରିବେ । ଏହି ଗସ୍ତରେ ତାଙ୍କ ସହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ ହେବେ ।

ସେହିପରି ନଭେମ୍ବର ୨୦ ଓ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଲକ୍ଷ୍ନୌରେ ନଜର ଆସିପାରନ୍ତି । ଏହି ଅବସରରେ ସେ ଡିଜିପି ଓ ଆଇଜିପି କନଫରେନ୍ସରେ ସାମିଲ ହେବେ । ଏହି ବୈଠକରେ ଦେଶର ବିଭିନ୍ନ ଅଂଚଳରୁ ପୋଲିସ ଅଫିସରମାନେ ସାମିଲ ହେବେ । ତେବେ ଗୋଟିଏ ମାସ ଭିତରେ ମୋଦୀଙ୍କର ଏହି ୪ଟି ୟୁପି ଗସ୍ତ, ବିଜେପିକୁ ଫାଇଦା ଦେବ ବୋଲି ରାଜନୀତି କରିଡରରେ ଏବେ ଚର୍ଚ୍ଚା ହେଉଛି ।