ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ : ମମତାଙ୍କ ଖେଲା ହୋବେ ନାରାର ଦେଲେ ଜବାବ; କହିଲେ, ହେବ ବିକାଶ 

Advertisment
ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ : ମମତାଙ୍କ ଖେଲା ହୋବେ ନାରାର ଦେଲେ ଜବାବ; କହିଲେ, ହେବ ବିକାଶ 

କନକ ବ୍ୟୁରୋ : ବିଜେପିର ମିଶନ ବେଙ୍ଗଲ । ଏହି କ୍ରମରେ ଆଜି ପଶ୍ଚିମବଙ୍ଗର ପୁରୁଲିଆରେ ବିଶାଳ ସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ମାର୍ଚ୍ଚରେ ହେବାକୁ ଥିବା ରାଲି ୨ ଦିନ ପୂର୍ବରୁ ଆୟୋଜିତ କରାଯାଇଛି । ପଶ୍ଚିମବଙ୍ଗର ପୁରୁଲିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ପୁରୁଲିଆର ସାମ୍ପ୍ରତିକ ଜଳ ସଙ୍କଟ ପ୍ରସଙ୍ଗରେ ମହାକାବ୍ୟ ‘ରାମାୟଣ’ରୁ ଗୋଟାଏ କଥାର ଦୃଷ୍ଟାନ୍ତ ଦେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମୋଦୀ କହିଲେ, ଏ ଭୂମି ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ । ଏ ଭୂମିରେ ସୀତାକୁଣ୍ଡ ଅଛି । କଥିତ ଅଛି ଯେ, ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଭୂଇଁରେ ଶର ବିନ୍ଧି ଜଳ ବାହାର କରିଥିଲେ। କିନ୍ତୁ, ଆଜି ପୁରୁଲିଆରେ ଜଳ ସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା ।

ପଶ୍ଚିମବଙ୍ଗର ପୁରୁଲିଆରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେବା ସମୟରେ ଉପରୋକ୍ତ କଥା କହିବା ସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି । କିନ୍ତୁ, ‘ଡବଲ୍‌-ଇଞ୍ଜିନ୍‌’ବିଶିଷ୍ଟ ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।

ବର୍ଷ ବର୍ଷର ଅରାଜକତା ନିମନ୍ତେ ବଙ୍ଗବାସୀ ମମତାଙ୍କ ପ୍ରତି ଦଣ୍ଡ ବିଧାନ କରିବେ। ଦିଦି କହୁଛନ୍ତି, ଖେଳ ହେବ, କିନ୍ତୁ ବିଜେପି କହୁଛି, ବିକାଶ ହେବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଲୋକସଭାରେ ତୃଣମୂଳ କଂଗ୍ରେସ ଅଧା ଶେଷ ହୋଇଯାଇଛି, ଏବଂ ଏଥର ପୂରା ଶେଷ ହୋଇଯିବ ବୋଲି ବିଜେପି କହି ଆସୁଛି । ବିଜେପିର ଏହି ପ୍ରତିବଦ୍ଧତା ଦେଖି ଦିଦି ମୋ ଉପରେ ବିଷୋଦ୍‌ଗାର କରୁଛନ୍ତି । କିନ୍ତୁ, ଆମ ଦୃଷ୍ଟିରେ ସେ ଭାରତର କୋଟି କୋଟି ଝିଅଙ୍କ ପରି ଜଣେ ଝିଅ । ଝିଅମାନଙ୍କ ପ୍ରତି ମର୍ଯ୍ୟାଦା ଦେବା ଆମ ସଂସ୍କୃତିର ଅଂଶବିଶେଷ।

ସେପଟେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ଟି ରାଲିରେ ଯୋଗ ଦେବା ନେଇ ସୂଚନା ରହିଛି । ସେପଟେ ମମତାଙ୍କ ରାଲିକୁ ଟକ୍କର ଦେଉଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର କରୁଛନ୍ତି । ନନ୍ଦିଗ୍ରାମର ଗୋକୁଲ ନଗରରେ ଶୁଭେନ୍ଦୁ ଅଧିକାରୀ ଜଣେ ଚାଷୀ ଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe