କନକ ବ୍ୟୁରୋ : ଶନିବାର ସକାଳେ ବେଙ୍ଗାଲୁରୁ ରାସ୍ତାରେ ଗଡିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ । ଗ୍ରୀସରୁ ସିଧା ବେଙ୍ଗାଲୁରୁରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ପୂରା ସହରରେ କରାଯାଇଥିଲା କଡ଼ା ସୁରକ୍ଷା ବନ୍ଦୋବସ୍ତ । ସେପଟେ ବେଙ୍ଗାଲୁରେ ପହଁଚିବା ରାସ୍ତାର ଦୁଇ କଡ଼ରେ ଛିଡା ହୋଇଥିବା ଶହ ଶହ ପ୍ରଶଂସକଙ୍କୁ କାର ଭିତରୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ସିଧା ଯାଇ ଇସ୍ରୋ ମୁଖ୍ୟାଳୟରେ ପହଁଚିଥିଲେ ମୋଦୀ । ସେପଟେ ବେଶ ପ୍ରତିକ୍ଷାର ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଜଣାଇବା ପାଇଁ ଅପେକ୍ଷା କରିଥିବା ଇସ୍ରୋ ମୁଖ୍ୟ ଫୁଲତୋଡା ସହ ତାଙ୍କୁ ପାଛୋଟି ନେଇଥିଲୋ । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥଙ୍କୁ ଭେଟି ତାଙ୍କ ପିଠିକୁ ଥାପୁଡାଇବା ସହ ସାବାସୀ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ ଥ୍ରୀ ଅଭିଯାନରେ ସାମିଲ ସମସ୍ତ ବରିଷ୍ଠ-କନିଷ୍ଠ ବୈଜ୍ଞାନିକଙ୍କ ସହ ଗ୍ରୁଫ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ରଭାବେ ଚନ୍ଦ୍ରଯାନ ଥ୍ରୀର ଲଂଚ ଠାରୁ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ଯାତ୍ରାର ଡେମୋ ବ୍ୟବସ୍ଥା କରାଯାଇଥିଲା । ଇସ୍ରୋ ମୁଖ୍ୟ ଟିକନିକ କରି ସବୁ କିଛି ବୁଝାଇ ଦେଇଥିଲେ । ଡେମୋ ଦେଖିବା ପରେ ସମସ୍ତ ବୈଜ୍ଞାନିକଙ୍କ ସହ ମିଶି ଅଗଷ୍ଟ ୨୩ର ସେହି ଐତିହାସିକ ମୁହୁର୍ତକୁ ପୁଣି ଦେଖିଥିଲେ ପ୍ରଧାନମନ୍ତ୍ରୀ । ମିଶନ ମୁନର ସେହି ସମସ୍ତ ଇସ୍ରୋ ସଦସ୍ୟଙ୍କୂୁ ସମ୍ବୋଧିତ କରିଥିଲେ ଓ ଭୁରି ଭୁରି ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ ।

Advertisment

ଚନ୍ଦ୍ରଯାନ ଥ୍ରୀ ସଫଳତା ପରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଗଷ୍ଟ ୨୩କୁ ଏଣିକି ସାରା ଦେଶ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବା ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଂଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଛି, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚନ୍ଦ୍ରଯାନ ଥ୍ରୀ ସଫଳତା ପଛରେ ମହିଳା ବୈଜ୍ଞାନିକଙ୍କ ଅତୁଳନୀୟ ଅବଦାନ ରହିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ଉପସ୍ଥିତ ସମସ୍ତ ମହିଳା ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି । ସାରା ବିଶ୍ୱ ଦେଖୁଛି ଚନ୍ଦ୍ରଯାନ ଥ୍ରୀର ସଫଳତା । ସାରା ବିଶ୍ୱ ଭାରତର ପରାକ୍ରମ,ଦକ୍ଷତାକୁ ସଲାମ କରୁଛି । ଚନ୍ଦ୍ରଯାନ ଥ୍ରୀ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା କେବଳ ଏକ ମାଇଲଷ୍ଟୋନ ନୁହେଁ ଆଗାମୀ ପୀଢି ପାଇଁ ନୂଆ ସମ୍ଭାବନା, ନୂଆ ଉତ୍ସ ବୋଲି ଆଜିର କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ।