କନକ ବ୍ୟୁରୋ : କ୍ରିକେଟକୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ, ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚରେ । ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୧୬୦ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ୩୧ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ଥିଲା । ପାକିସ୍ତାନର ସର୍ବଶ୍ରେଷ୍ଠ ପେସ୍ ଆଟାକ୍ ଭାରତୀୟ ବ୍ୟାଟରଙ୍କୁ ନୟାନ୍ତ କରୁଥିଲେ । ଆଉ ଭାରତ କୌଣସି ପରିସ୍ଥିତିରେ ମ୍ୟାଚ୍ ଜିତିପାରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ କ୍ରିକେଟରେ କିଛି ବି ଅସମ୍ଭବ ନୁହେଁ, ତାହା କରି ଦେଖାଇଥିଲେ କୋହଲି ଓ ହାର୍ଦ୍ଦିକ ।
ପାକିସ୍ତାନ ପାଖରେ ତିନିଜଣ ପେସର ଥିଲେ ଏବଂ ବାବର ସେମାନଙ୍କ ଓଭର ଶେଷ ଯାଏଁ ବଞ୍ଚାଇ ରଖିବାକୁ ନିଷ୍ପତ୍ତି ନେଲେ । ସ୍ପିନରଙ୍କୁ ଲଗାତର ବୋଲିଂ ଦେଇ ସେ କୋହଲିଙ୍କୁ ସେଟ୍ ହେବାକୁ ସୁଯୋଗ ଦେଇଥିଲେ । ଯଦି ବାବର ପେସ୍ ବୋଲରଙ୍କୁ ଅତିରିକ୍ତ ଓଭର ଦେଇଥାନ୍ତେ, ତାହେଲେ ହୁଏତ ତାଙ୍କୁ ସଫଳତା ମିଳିପାରିଥାନ୍ତା । ୧୦ ଓଭରରେ ଭାରତ ୪ ୱିକେଟ୍ ହରାଇ କରିଥିଲା ମାତ୍ର ୪୫ ରନ୍ । ଶେଷ ୬୦ ବଲରେ ବିଜୟ ପାଇଁ ଦରକାର ଥିଲା ୧୧୫ ରନ୍ । ଚାପ ସମୟରେ କୌଣସି ଟିମ୍ ପକ୍ଷେ ଏତେ ରନ୍ ଚେଜ୍ କରିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ କୋହଲି ଓ ହାର୍ଦ୍ଦିକ ମଇଦାନରେ ଯେଉଁ ଧୈର୍ଯ୍ୟ ଦେଖାଇଥିଲେ ଏବଂ ପାକ୍ ବୋଲରଙ୍କୁ ଆକ୍ରମଣ କଲେ, ତାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ ।
ଏକାଦଶ ଓଭରରେ ଭାରତ ୯ ରନ୍ ସଂଗ୍ରହ କରିଥିଲା ଏବଂ ଦ୍ୱାଦଶ ଓଭରରେ ୨୦ ରନ୍ ସଂଗ୍ରହ କରିଥିଲେ କୋହଲି ଓ ହାର୍ଦ୍ଦିକ । ବାସ୍ ଏହିଠାରୁ ଭାରତର ଆଶା ଉଜ୍ଜୀବିତ ହୋଇଥିଲା । ୧୫ ଓଭରରେ ଭାରତର ସ୍କୋର ୧୦୦ ରେ ପହଂଚିଥିଲା ଓ ୩୦ ବଲରେ ଦରକାର ଥିଲା ୬୦ ରନ୍ । ୧୭ ଓଭର ଶେଷ ସୁଦ୍ଧା କୋହଲି ୪୨ ବଲରେ ୪୬ ରନ୍ କରିଥିଲେ । ଆଉ ଏହା ପରେ ସେ ଗିୟର ବଦଳାଇଥିଲେ । ଅଷ୍ଟାଦଶ ଓଭରରେ ୧୭ ରନ୍ ଓ ୧୯ତମ ଓଭରରେ ୧୫ ରନ୍ ସଂଗ୍ରହ କରିଥିଲା ।
ଶେଷ ଓଭରରେ ଭାରତକୁ ୧୬ ରନ୍ ଦରକାର ଥିଲା ବେଳେ ପ୍ରଥମ ବଲରେ ସେଟ୍ ବ୍ୟାଟର ହାର୍ଦ୍ଦିକ ଆଉଟ୍ ହୋଇଥିଲେ । ଦ୍ୱିତୀୟ ବଲରେ ଦିନେଶ କାର୍ତିକ ୧ ରନ୍ ନେଇଥିଲେ । ତୃତୀୟ ବଲରେ ଦୁଇ ରନ୍ ଏବଂ ଚତୁର୍ଥ ବଲରେ ଛକା ମାରିଥିଲେ କୋହଲି । ତେବେ ଚତୁର୍ଥ ବଲଟି ନୋ’ ବଲ ହୋଇଥିବାରୁ ଭାରତକୁ ଫ୍ରି-ହିଟ୍ ମାରିଥିଲା । ଯଦିଓ ଫ୍ରି-ହିଟ୍ ବଲରେ ଭାରତକୁ ଅତିରିକ୍ତ ତିନି ରନ୍ ମିଳିଥିଲା । ପଞ୍ଚମ ବଲ୍ ୱାଇଡ୍ ଯାଇଥିବା ବେଳେ ଶେଷ ବଲରେ ଅଶ୍ୱିନ୍ ସିଙ୍ଗଲ ନେଇ ଭାରତକୁ ଜିତାଇଥିଲେ ।
ଏହି ଦମଦାର ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରିକେଟର, ରାଜନେତା ଓ ସେଲିବ୍ରିଟିମାନେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରାଟ କୋହଲିଙ୍କ ଇନିଂସକୁ ଖୁବ୍ ପ୍ରଶଂସା କରିବା ପାଇଁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଭାରତକୁ ଶୁଭେଚ୍ଛ ଜଣାଇଛନ୍ତି ।
Follow Us