ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ର୍ପୂବରୁ କଣ କହିବେ ମୋଦି, ନବୀନଙ୍କ ଉପରେ ବର୍ଷିବେ ନା ବିପଦର ବନ୍ଧୁ ଭାବି ଚୁପ ରହିବେ?

39

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନିକିଆ ଗସ୍ତରେ ମୋଦି, ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ୍ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ତେବେ ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ ଦୁଇଟି ଜନସଭା ମଧ୍ୟ କରିବେ । ଆଗକୁ ନିର୍ବାଚନ ଥିବାରୁ କ’ଣ କହିବେ ପ୍ରଧାନମନ୍ତ୍ରୀ? ବିରୋଧୀଙ୍କ ପ୍ରତି କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ? ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ପୂର୍ବୋଦୟରୁ ନୂଆ ଭାରତର ଉଦୟର ନାରା ଦେଇ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ୱର ବିମାନନ୍ଦର, ଝାରସୁଗୁଡ଼ା ଏୟାରପୋର୍ଟ ଏବଂ ତାଳଚେର ହେଲିପ୍ୟାଡରେ ସରିଛି କାରକେଟ୍ ରିହଲସଲ । ଜୁରିରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱରରେ ପୁଲିସ୍ ସଜାଗ୍ ଥିବା ବେଳେ ଝାରସୁଗୁଡ଼ା ଏବଂ ତାଳଚେରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୮ଟା ୫୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା କରିବେ । ତେଳଚେର ହେଲପ୍ୟାଡରୁ ସଡକ ପଥରେ ଏଫସିଆଇ ୟୁନିଟ୍, ସେଠୁ ଯାଇ ସାର କାରଖାନାର ଶିଳାନ୍ୟାସ କରିବେ । ସାଢ଼େ ୧୦ଟାରେ ତାଳଚେର ଜନସଭାରେ ଯୋଗଦେବା ପରେ ସାଢ଼େ ୧୧ଟାରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ । ଝାରସୁଗୁଡ଼ାରେ ବିମାନ ବନ୍ଦର ଉଦଘାଟନ ପରେ ଏନଟିପିସି ମାଇନ୍ସ, ଏମସିଏଲ୍ ମାଇନ୍ସ ଏବଂ ରେଳଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଉଭୟ ଝାରସୁଗଡ଼ା ଏବଂ ତାଳଚେରରେ ଜନସଭାରେ କାର୍ଯ୍ୟକ୍ରମ ଥିବାରୁ ଦଳପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି ।

ମୋଦିଙ୍କ ଗସ୍ତକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ଓଡ଼ିଶାରେ କ’ଣ କହିବେ ମୋଦି ? ବିଜେଡି ଓ ନବୀନଙ୍କ ପ୍ରତି କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ ? ଏହାକୁ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡିର ଆଭିମୁଖ୍ୟ ଓ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ପରେ ଓଡିଶାକୁ ମୋଦିଙ୍କର ଏହା ପ୍ରଥମ ଗସ୍ତ । ତେଣୁ ଏହି ଗସ୍ତ ବିଜେଡି ଓ କଂଗ୍ରେସ ପ୍ରତି କଣ ରହିବ ମୋଦିଙ୍କ ଆଭିମୁଖ୍ୟ, ଏହା ଉପରେ ସମସ୍ତଙ୍କ ନଜର ।ବିରୋଧୀ ଦଳର ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ବିଜେପିର ଦୃଢ଼ ଆଶା ମୋଦିଙ୍କ ଏହି ଗସ୍ତ ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବ । ଏସବୁ ଭିତରେ ଦେଖିବାର କଥା ୨୦୧୯ ଲଢ଼େଇ ପୂର୍ବରୁ ବିରୋଧୀଙ୍କୁ କିଭଳି ଚ୍ୟାଲେଂଜ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।