ମୋଦିଙ୍କ ଝିଆରୀ ପାଖରୁ ଲୁଟ୍ ! ଦିଲ୍ଲୀରେ ମୋଦିଙ୍କ ଝିଆରୀ ପର୍ସ ଲୁଟିନେଲେ ଦୁବୃର୍ତ୍ତ, ପର୍ସରେ ଥିଲା ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ।

2,020

କନକ ବ୍ୟୁରୋ: ମୋଦିଙ୍କ ଝିଆରୀ ପାଖରୁ ଲୁଟ୍ । ସୂଚନା ମୁତାବକ ଆଜି ସକାଳେ ଅମୃତତସରରୁ ଦିଲ୍ଲୀ ଫେରିବା ପରେ ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଏକ ରୁମ୍ ବୁକ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦି । ଆଉ ସେହି ରୁମ୍ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଏକ ଲୁଟେରା ବାଇକରେ ଆସି ତାଙ୍କ ହାତରୁ ପର୍ସ ଝାମ୍ପିନେଇ ଯାଇଥିଲା । ସେ ଏନେଇ ଦିଲ୍ଳୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନରେ ଅଭିଯୋଗ ଲେଖାଇଛନ୍ତି।

ସେପଟେ ରିପୋର୍ଟରେ ଉଲ୍ଲେଖ କରି ଦମୟନ୍ତୀ ଲେଖିଛନ୍ତି, ଯେ ତାଙ୍କ ପର୍ସରେ ୫୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଥିଲା। ଏହାବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ମଧ୍ୟ ସେହି ପର୍ସରେ ଥିଲା । ସେପଟେ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଙ୍କର ଝିଅ ହେଉଛନ୍ତି ଦମୟନ୍ତୀ ବେନ୍ ମୋଦି । ଆଉ ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନର ମାତ୍ର କିଛି ବାଟ ଦୂରରେ ଏପରି ଅଭାବନୀୟ ଘଟଣା ଘଟିଛି।

ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଏକଥା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଡର ମଧ୍ୟ ଲାଗୁଛି । କାରଣ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଝିଆରୀ ଯେଉଁଠି ଲୁଟର ଶିକାର ହେଉଛନ୍ତି ସେଠି ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ ସେନେଇ ପ୍ରଶ୍ନ ଉଠିଛି । ତେବେ ସେପଟେ ଏହି ଲୁଟ୍ ମାମଲାକୁ ନେଇ ଦିଲ୍ଲୀ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।