ରାଜ୍ୟ ବିଜେପିକୁ ଅଡୁଆ କଲା ମୋଦୀଙ୍କ ପ୍ରଶଂସା ! ରାଜ୍ୟସଭାରେ ନବୀନ ସରକାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ।

591

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନକୁ ମଝିରେ ଆଉ ୭ଦିନ । ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପଡିବ ଭୋଟ୍ । ନିର୍ବାଚନରେ ବିଜୟ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବିଶେଷ କରି ୨୦୧୭ ପରେ ରାଜ୍ୟରେ ବିଜେପି ଦ୍ୱିତୀୟ ଦଳ ଭାବେ ଉଭା ହେବା ପରେ ପରସ୍ପର ପରସ୍ପରକୁ ହରାଇବାକୁ ରଣନୀତି କରୁଛନ୍ତି । ଏମିତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଯାହାକି ରାଜ୍ୟ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ପଞ୍ଚାୟତ ଭୋଟ୍ ପଡିବାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତି, ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି । ଯେତେବେଳେ ଦୁଇ ଦଳ ତୃଣମୂଳ ସ୍ତରରେ ସବୁଠାରୁ ବଡ ଲଢେଇ ଲଢୁଛନ୍ତି, ଠିକ ସେତିକିବେଳେ ମୋଦିଙ୍କ ବୟାନ, ବିଜେପି ନେତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ, ଗାଁ ଗହଳିରେ ଏହାର ପ୍ରଭାବ କଣ ରହିବ ।

ଅବସର ଥିଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର । ପ୍ରଧାନମନ୍ତ୍ରୀ ନିଜ ଅନ୍ଦାଜରେ ଯେତେବେଳେ କଂଗ୍ରେସକୁ ସମାଲୋଚନାରେ ପୋତୁଥିଲେ, ଠିକ ସେତିକିବେଳେ ଖଣିଜ କ୍ଷେତ୍ରରେ ଆସିଥିବା ସୁଧାର କିଭଳି ଦେଶକୁ ବିକାଶ ପଥରେ ଆଗେଇ ନେଉଛି ଏବଂ ରାଜ୍ୟ ଗୁଡିକର ରାଜସ୍ୱ ବଢୁଛି, ସେନେଇ ଉଲ୍ଲେଖ କରିଥିଲେ । ବାସ୍ ଏହି ଉକ୍ତିର ଶେଷ ଆଡକୁ ଯେଉଁ କଥା ମୋଦି କହିଲେ, ସେଠି ଉଲ୍ଲେଖ ଥିଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲେ ।

୨୦୧୭ ପରଠାରୁ ବିଜେପି ଓ ବିଜେଡି ମଧ୍ୟରେ ସିଧା କ୍ଷମତାକୁ ନେଇ ଲଢେଇ ଚାଲିଛି । ୨୦୧୯ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ୨୦୨୨ର ପଞ୍ଚାୟତ ନିର୍ବାଚନ । ସବୁଠି ଦୁଇ ଦଳ ମଧ୍ୟରେ ତିକ୍ତତା ଚରମ ସୀମାରେ । ହେଲେ ଚଳିତଥର ଏହାର ବ୍ୟତିକ୍ରମ ବେଶ ବାରି ହେଉଥିବା ବେଳେ, ମୋଦିଙ୍କ ବୟାନ ବିଜେପି କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ ।

ଉପା ସରକାର ସମୟରେ ଦିଲ୍ଲୀରୁ ନେତା ଆସନ୍ତି, ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଯାଆନ୍ତି । ଫଳରେ କଂଗ୍ରେସ ଏଠି ନବୀନଙ୍କୁ ଯେତେ ସମାଲୋଚନା କଲେ ମଧ୍ୟ ଭୋଟରଙ୍କ ଉପରେ ଏହାର ଫରକ ପଡେନି । ଠିକ ସମାନ ସ୍ଥିତି ଏବେ ରାଜ୍ୟ ବିଜେପି ସହ । ଯଦି ଦଳର ଶୀର୍ଷ ନେତା ଏଭଳି ନବୀନଙ୍କୁ ପ୍ରଶଂସା କରିଚାଲିବେ, ତେବେ ବିଜେପି ମଧ୍ୟ ଏଠି ମମିତା ମେହେର ଠାରୁ ଆରମ୍ଭ କରି ଆବାସ ଦୁର୍ନୀତି ଯାଏଁ ଯେତେ କଥା ଉଠାଇଲେ ବି ଫରକ୍ ପଡିନପାରେ ।