କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଲଦୀପ ଗସ୍ତରେ ଯିବେ । ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଯାତ୍ରାରେ ମାଲଦୀପ ଯିବେ ନରେନ୍ଦ୍ର ମୋଦି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ମାଲଦୀପରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତକୁ ରାଜକୀୟ ଯାତ୍ରାର ମାନ୍ୟତା ଦେଇଛି ମାଲଦୀପ । ଗସ୍ତ ଅବସରରେ ମାଲଦୀପ ସଂସଦକୁ ସମ୍ବୋଧିତ କରିବା ସହ ୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ନରେନ୍ଦ୍ର ମୋଦି । କୋଷ୍ଟାଲ ରାଡାର ପ୍ରୋଜେକ୍ଟ ଓ ଡିଫେନ୍ସ ଫୋର୍ସେସ ଟ୍ରେନିଂ ସେଂଟରର ଶିଳାନ୍ୟାସ କରିବେ । ସେହିପରି କ୍ରିକେଟ ଷ୍ଟାଡିୟମ ପାଇଁ ଫଣ୍ଡ ଦେବା ନେଇ ମଧ୍ୟ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି ।

Advertisment

publive-image

ମାଲଦୀପରେ ଇବ୍ରାହିମ ମହମ୍ମଦ ସୋଲିହ ରାଷ୍ଟ୍ରପତି ହେବା ପରେ ଭାରତ ସହ ସଂପର୍କ ଦୃଢ ହେବାରେ ଲାଗିଛି । ଅନ୍ୟପଟେ ମାଲଦୀପ ଭାରତ ଫାଷ୍ଟ ନୀତି ଆପଣେଇଥିବାରୁ ଚୀନର ଚିନ୍ତା ବଢିଛି । କ୍ଷେତ୍ରଫଳ ଦୃଷ୍ଟିରୁ ଦିଲ୍ଲୀ ଠାରୁ ଛୋଟ ଆଉ ମୁସଲିମ ବହୁଳ ମାଲଦୀପକୁ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଗସ୍ତରେ ମୋଦି ଯିବା ନିଶ୍ଚିତ ଭାବେ ଏକ ସୁଚିନ୍ତିତ କୁଟନୀତି ବୋଲି କୁହାଯାଇପାରିବ । ମାଲଦୀପ ପରେ ରବିବାର ଶ୍ରୀଲଙ୍କା ଗସ୍ତରେ ଯିବେ ନରେନ୍ଦ୍ର ମୋଦି । ଇଷ୍ଟର ବିସ୍ଫୋରଣ ମାମଲା ପରେ ମୋଦି ପ୍ରଥମ ବିଦେଶୀ ନେତା ଭାବେ ଶ୍ରୀଲଙ୍କା ଗସ୍ତରେ ଯିବେ । ଏହି ଅବସରରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲି ସିରିସେନାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଖରାପ ସମୟରେ ଶ୍ରୀଲଙ୍କା ସହ କାନ୍ଧ ମିଳାଇ ଭାରତ ଛିଡା ହୋଇଛି ଏହି ସନ୍ଦେଶ ଦେବା ମୋଦିଙ୍କ ଶ୍ରୀଲଙ୍କା ଗସ୍ତର ମୂଳ ଉଦ୍ଦେଶ୍ୟ ।