କନକ ବ୍ୟୁରୋ: ବାଂଲାଦେଶରୁ ସମ୍ବୋଧନ ପଶ୍ଚିମବଙ୍ଗ ଉପରେ ନଜର । ବାଂଲାଦେଶର ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ପାଇଁ ଦୁଇ ଦିନିଆ ଗସ୍ତରେ ଥିବା ମୋଦିଙ୍କ ବାଂଲାଦେଶ ଗସ୍ତର ଶନିବାର ଦ୍ୱିତୀୟ ଦିନ । ଶନିବାର ଓରାକୋଣ୍ଡାରେ ମତୁଆ ସମ୍ପ୍ରଦାୟର ମନ୍ଦିରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ମତୁଆ ସମ୍ପ୍ରଦାୟକ ସଂସ୍ଥାପକ ହରିଚନ୍ଦ ଠାକୁରଙ୍କ ଜନ୍ମସ୍ଥଳୀ ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେଠାରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧନ କରିଛନ୍ତି । ଯେଉଁ ସମୟରେ ପଶ୍ଚିମବଙ୍ଗରେ ଭୋଟ୍ ପଡୁଥିଲା ଠିକ୍ ସେତିକି ବେଳେ ମୋଦୀ ମତୁଆ ସମ୍ପ୍ରଦାୟକୁ ସମ୍ବୋଧନ କରିଥିଲେ । ୨୦୧୫ରେ ଓରାକୋଣ୍ଡା ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏବେ ୨୦୨୧ତାହା ପୂରଣ ହୋଇଥିବା କହିଛନ୍ତି ମୋଦୀ ।

Advertisment

ପଶ୍ଚିମବଙ୍ଗରେ ମତୁଆ ସମ୍ପ୍ରଦାୟ ଏକ ବଡ ଭୋଟ ବ୍ୟାଙ୍କ ରହିଛି । ପ୍ରାୟ ୭୦ଟି ବିଧାନସଭା ଆସନରେ ଏହାର ପ୍ରଭାବ ରହିଛି । ଏବେ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ନିର୍ବାଚନ ବେଳେ ମୋଦୀଙ୍କ ବାଂଲାଦେଶ ଗସ୍ତ ନିର୍ବାଚନକୁ ପ୍ରଭାବିତ କରିବ କି ? ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା, ବିଜେପିକୁ ସମର୍ଥନ କରିପାରନ୍ତି ମତୁଆ ସମ୍ପ୍ରଦାୟର ଲୋକ ।

ମୋଦିଙ୍କ ବାଂଲାଦେଶ ଗସ୍ତରୁ ରାଜନୈତିକ ସମୀକରଣକୁ ବାଦ୍ ଦେଲେ ମଧ୍ୟ ମୋଦିଙ୍କ ଏହି ଗସ୍ତର ବେଶ ଗୁରୁତ୍ୱ ରହିଛି । କାରଣ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି, ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ପୈତୃକ ବାସଭବନକୁ ଯାଇଛନ୍ତି । ଗୋପାଳଗଂଜ ଜିଲ୍ଲାର ତୁଙ୍ଗିପାରାରେ ଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ସ୍କାରକୀରେ ଶ୍ରଦ୍ଧାଂଜଳି ଦେଇଛନ୍ତି । ଏହି ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।

ଏହାସହ ୫୧ଟି ଶକ୍ତିପୀଠରୁ ଅନ୍ୟତମ ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀି । ଶତକ୍ଷିରା ଜିଲ୍ଲାର ଇଶ୍ୱରପୁରୀ ଗାଁରେ ଥିବା ଏହି କାଳୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ସୁନାରେ ନିର୍ମିତ ଏକ ମୁକୁଟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରରେ ପହଂଚିବା ପରେ ପାରମ୍ପାରିକ ବାଜା ବଜାଇ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସେ ମନ୍ଦିର ଚଟାଣରେ ବସି ପୂଜାର୍ଚ୍ଚନା କରିବା ସହ ମୁକୁଟ ଦାନ କରିଛନ୍ତି ।

ବାଂଲାଦେଶର ସ୍ୱାଧିନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବା ସହ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଶହେତମ ଜନ୍ମ ଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ବାଂଲାଦେଶରେ ଅଛନ୍ତି ମୋଦି । ଏହି ଦୁଇ କାର୍ଯ୍ୟକ୍ରମ ମୋଦି ମୁଖ୍ୟ ଅତିଥ ରହିଛନ୍ତି । ଅପରପକ୍ଷରେ ଭାରତ ବାଂଲାଦେଶର କୂଟନୈତିକ ସମ୍ପର୍କକୁ ୫୦ ବର୍ଷ ପୂରଣ ହୋଇଛି ଏପରି ସମୟରେ ମୋଦିଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି ।