କନକ ବ୍ୟୁରୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଘନଘଟା ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ରାତିରେ ଫୋନରେ କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି । ରୁଷର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ଭାରତର ହସ୍ତକ୍ଷେପ ଲୋଡିଛି । ୟୁକ୍ରେନର ଅନୁରୋଧ ପରେ ପୁଟିନଙ୍କ ସହ କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏପଟେ ନୂଆ ଦିଲ୍ଲୀରେ ୟୁକ୍ରେନ-ରୁଷ ଯୁଦ୍ଧ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟିର ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏନଏସଏ ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଛନ୍ତି । ବୈଠକରେ ୟୁକ୍ରେନ-ରୁଷ ବିବାଦ ଯୋଗୁଁ ଅର୍ଥନୈତିକ ପ୍ରଭାବ ଓ ଅଶୋଧିତ ତୈଳର ଦରକୁ ନେଇ ଚର୍ଚ୍ଚା ହୋଇଛି ।