ମୋଦି କହିବେ ‘କରୋନା’ କାହାଣୀ । ଆଜି ରାତି ୮ଟାରେ କରୋନା ସମ୍ପର୍କରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । କଣ ନେଉଛନ୍ତି ପଦକ୍ଷେପ, ତା’ ଉପରେ ଭାରତର ନଜର

672

କନକ ବ୍ୟୁରୋ: ମୋଦି କହିବେ ‘କରୋନା’ କାହାଣୀ । ଆଜି ରାତିରେ ସାରା ଦେଶବାସୀଙ୍କୁ କରୋନା ଭାଇରସ ଉପରେ କହିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମୋଦି ତାଙ୍କ ବକ୍ତବ୍ୟରେ କୋଭିଡ୍ ୧୯ ସହ ଜଡିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ମତ ରଖିବେ ।

ତେବେ ପୂର୍ବରୁ ସଂସଦର ସମସ୍ତ ସଦସ୍ୟ ନିଜ ନିଜର ନିର୍ବାଚନମଣ୍ଡଳୀରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ । କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଗଣମାଧ୍ୟମର ସହ ଯୋଗ ନେବାକୁ ମୋଦି ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ମୁକାବିଲାରେ କଣ କରାଯିବା ଉଚିତ୍ କଣ କରାଯିବା ଉଚିତ୍ ନୁହଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇସାରିଛନ୍ତି । ଆଉ ଆଜି ରାତି ୮ଟାରେ ମୋଦି ସାରା ଦେଶବାସୀଙ୍କୁ ସଂବୋଧନ କରିବେ ।

ସେପଟେ ମୋଦି କଣ ଘୋଷଣା କରିବେ ? କଣ କହିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି ଯେ, ସାରା ଦେଶରେ ସହର ଗୁଡିକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବାର ଆବଶ୍ୟକତା ରହିଛି । ସୋସିଆଲ ମିଡିଆରେ ମୋଦି ସବୁକିଛି ବନ୍ଦ କରିଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭିଡ ବଢିଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ସେଭଳି ‘ଲକ୍ ଡାଉନ୍’ ଅର୍ଥାତ୍ ସବୁକିଛି ବନ୍ଦ ହେବ ନାହିଁ । ତେବେ ମୋଦି କଣ ପଦକ୍ଷେପ ନେଉଛନ୍ତି ତାହା ରାତି ୮ଟାରେ ହିଁ ସ୍ପଷ୍ଟ ହେବ ।