ଆସନ୍ତା କାଲି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । କରୋନା ସ୍ଥତି ନେଇ ହେବ ଆଲୋଚନା ।

144

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି କରୋନା ସ୍ଥିତି ନେଇ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ । ଆସାମ, ନାଗାଲାଣ୍ଡ, ତ୍ରିପୁରା,ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରମର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆସନ୍ତାକାଲି ସକାଳ ୧୧ ରେ ବୈଠକ ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନାରେ ରାଜ୍ୟମାନଙ୍କରେ କରୋନା ସଂକ୍ରମଣର ସ୍ଥତି ଓ ତାହାକୁ ମୁକାବିଲା କରିବା ସହ ଆସୁଥିବା ତୃତୀୟ ଲହରକୁ କିଭଳି ମୁକାବିଲା କରାଯାଇ ପାରିବ ତାହା ଉପରେ ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇ ପାରନ୍ତି ।

କହିରଖୁ କି ଅରୁଣାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ଦିନ ଆସାମରେ ୧୫୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ରବିବାର ଦିନ ନାଗାଲାଣ୍ଡରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୯୭୬ ରେ ପହଂଚିଥିବା ବେଳେ ମୃତକଙ୍କ ସଂଖ୍ୟା ୫୦୭ କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଟିକେ କମିଥିବା ବେଳେ ବି କିଛି ରାଜ୍ୟରେ ଏବେ ବି ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କିଛି ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଇ ବଢୁଥିବା ସଂକ୍ରମଣର କାରଣ ଓ ନିରାକରଣ ଉପରେ ଅନୁଧ୍ୟାନ କରୁଛି । ଏଭଳି ସ୍ଥଳେ ଆସନ୍ତା କାଲି ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେସ୍ ଗୁରୁତ୍ୱ ବହନ କରୁଛି ।