ବଢିଲା ଭାରତୀୟ ବାୟୁସେନାର ଶକ୍ତି, ସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର

104

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାରତୀୟ ବାୟୁସେନା ହାତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲକା କମ୍ବାକ୍ଟ ହେଲିକପ୍ଟର ସମର୍ପିତ କରିଛନ୍ତି । ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଥିବା ଓ ବିଇଏଲ ଦ୍ୱାରା ନିର୍ମିତ ଉନ୍ନତ ମାନର ହେଲିକପ୍ଟର ଭାରତୀୟ ବାୟୁସେନା ହାତକୁ ଆସିଛି । ଏହା ବିଶ୍ୱର ସବୁଠାରୁ ହାଲକା ହେଲିକପ୍ଟର ବୋଲି କୁହାଯାଇଛି ।

ଏହାସହ ଲାଇଟ କମ୍ବାକ୍ଟ ହେଲିକପ୍ଟର କୌଣସି ପାଗରେ ବି ଉଡିପାରିବାର କ୍ଷମତା ରଖିଛି । ଏହା ଆକାଶରେ ଥାଇ ଶତ୍ରୁ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସକ୍ଷମ । ଏହାସହ ଏହି ବିମାନ ଆକାଶରେ ଥାଇ ଆକ୍ରମଣ କରିପାରୁଥିବା ମିସାଇଲ ବହନ କରିବାର କ୍ଷମତା ରଖିଛି । ସବୁଠାରୁ ବଡ କଥା ଏହି ହେଲିକପ୍ଟର ରାତିରେ ଅପରେଶନ କରିବା ଓ ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ଭଳି ଟେକ୍ନୋଲୋଜିରେ ନିର୍ମିତ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଗୋଟିଏ ସମୟରେ ଦେଶକୁ ଆବଶ୍ୟକ ପଡୁଥିବା ରକ୍ଷା ସାମଗ୍ରୀର ୭୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରାଯାଉଥିଲା । କିନ୍ତୁ ଆତ୍ମ ନିର୍ଭର ଭାରତ ଯୋଜନା ମାଧ୍ୟମରେ ଏବେ ମାତ୍ର ୨୫ ପ୍ରତିଶତ ରକ୍ଷା ସାମଗ୍ରୀ ବାହାର ଦେଶରୁ ଆମଦାନୀ କରାଯାଇଛି । ଏହାସହ ଏହି ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି ଆଗାମୀ ଦିନରେ ଭାରତୀୟ ସେନା ହାତରେ ୯୦ ପ୍ରତିଶତ ସ୍ୱଦେଶୀ ଅସ୍ତଶସ୍ତ୍ର ଉପଲବ୍ଧ ହେବ ।

ଅନ୍ୟପଟେ ରକ୍ଷା ସମର୍ପଣ କାଯ୍ୟଁକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସ୍ଥଳ ସେନାକୁ ସ୍ୱଦେଶୀ ଡ୍ରୋନ ସମର୍ପିତ କରିଛନ୍ତି । ଅନ୍ୟପଟେ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ପ୍ରଧାନମନ୍ତ୍ରୀ ଝାନ୍ସୀ ଠାରେ ଅଟଳ ଏକତା ପାର୍କ ଏବଂ ବିଭିନ୍ନ ଯୋଜନାର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମଦିବସରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।