ଦୀର୍ଘଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ କରିବେ ବିଦେଶ ଗସ୍ତ

164

କନକ ବ୍ୟୁରୋ : ୨୦୧୯ ମାର୍ଚ୍ଚ ୨୨ ତାରିଖରେ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଘୋଷଣା ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କୌଣସି ବିଦେଶ ଗସ୍ତ କରିନଥିବା ବେଳେ ଖୁବଶୀଘ୍ର ସେ ଆମେରିକା ଗସ୍ତ କରିବେ ବୋଲି ଜଣାପଡିଛି ।

ସେପ୍ଟେମ୍ବର ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି ଜଣାପଡିଛି । କରୋନା ମହାମାରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉକି ମାର୍ଚ୍ଚ ମାସରେ ବାଇଡେନ ଭର୍ଚୁଆଲ ମୋଡରେ ପ୍ରଥମେ ଶିଖର ସମ୍ମିଳନୀର ଆୟୋଜନ କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତି ମୁତାବକ ସେପ୍ଟେମ୍ବର ୨୪ ରେ ଆୟୋଜିତ ଶିଖର ସମ୍ମିଳନୀରେ କୋଭିଡ-୧୯ ଟିକାକରଣ ଅଭିଯାନ ଉପରେ ସମୀକ୍ଷା କରିବେ । ଏହାସହ ଏହି ବୈଠକରେ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ ହେବ । ଏହା ମଧ୍ୟରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ, ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଉପରେ ବି ଆଲୋଚନା ହୋଇପାରେ ।

ଆମେରିକାର ଶିଖର ସମ୍ମିଳନୀ ପରେ ସେପ୍ଟେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନର ଉଚ୍ଚ ସ୍ତରୀୟ ବିଭାଗର ସାଧାରଣ ବିତର୍କକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି।