ମୋଦି ସରକାରଙ୍କୁ ଘେରିବ କଂଗ୍ରେସ। ଆସନ୍ତାକାଲି ‘ବିଶ୍ୱାସଘାତ ଦିବସ’ ପାଳିବ ଦଳ

35

କନକ ବ୍ୟୁରୋ: ଆସନ୍ତାକାଲି ବିଜେପି ନେତୃତ୍ୱାଧିନ ବିଜେପି ସରକାରକୁ ୪ ବର୍ଷ ପୁରୁଥିବା ବେଳେ ଏପଟେ ବିଜେପି ବିରୋଧରେ ଦେଶବ୍ୟାପୀ ‘ବିଶ୍ୱାସଘାତ ଦିବସ’ ପାଳନ କରିବ କଂଗ୍ରେସ । ଏନଡିଏ ସରକାର ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାକୁ ପ୍ରତିବାଦ କରିବାକୁ ନିଷ୍ପତି ହୋଇଛି । କଂଗ୍ରେସ ପକ୍ଷରୁ ଏଥିପାଇଁ ଦେଶବ୍ୟାପୀ ଧାରଣା ପ୍ରଦର୍ଶନ କରାଯିବ । ସମସ୍ତ ରାଜ୍ୟ ପ୍ରଭାରୀଙ୍କ ନେତୃତ୍ୱରେ ଏହି ବିିକ୍ଷୋଭ ପ୍ରଦର୍ଶନ ହେବ । ୪୮ ମାସ ବନାମ ୪୮ ବର୍ଷକୁ ପ୍ରସଙ୍ଗ କରି ବିଜେପି ୪ବର୍ଷର ହିସାବ ଦେଉଥିବା ବେଳେ ଏହାକୁ କାଉଂଟର କରି କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରିବ ।

ମୋଦିଙ୍କ ଗସ୍ତ ପୂର୍ବରୁ ପକୁଡି ପଲିଟିକ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ କେନ୍ଦ୍ରକରି ତୈଳ ଦର ଏବଂ ଶିକ୍ଷିତ ବେକାର ନିଯୁକ୍ତି ଭଳି ସମସ୍ୟାକୁ ନେଇ ବିରୋଧ କରିବାକୁ ମଧ୍ୟ କଂଗ୍ରେସ ପ୍ରସ୍ତୁତ ହେଉଛି । ପକୁଡି ବିକିଲେ ମଧ୍ୟ ଶିକ୍ଷିତ ବେକାରୀ ରୋଜଗାରକ୍ଷମ ହୋଇପାରିବ ବୋଲି ଗତ କିଛି ଦିନ ତଳେ କହିଥିଲେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଆସନ୍ତାକାଲି ପ୍ରତୀକାତ୍ମକ ଭାବେ ପକୁଡି ଛାଣି ମୋଦିଙ୍କୁ ବିରୋଧ କରିବ ବିରୋଧୀ କଂଗ୍ରେସ । ବାଦାମବାଡି, ବକ୍ସିବଜାର ଛକରେ ପକୋଡା ଷ୍ଟଲ ଖୋଲି ମୋଦିଙ୍କୁ ଉଦଘାଟନ କରିବାକୁ ନିବେଦନ କରାଯିବ । ପକୁଡ଼ି ଛାଣିବା ସହ ଲୋକମାନଙ୍କୁ ମାଗଣାରେ ଖାଇବାକୁ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ମୋଦି ୪ ବର୍ଷର ସଫଳତା ବଖାଣିବାକୁ ଆସୁଥିବାରୁ କଂଗ୍ରେସ ପକ୍ଷରୁ ଏପରି ଢଙ୍ଗରେ ବିରୋଧ କରିବାକୁ ନିଷ୍ପତି ହୋଇଛି ।

କେନ୍ଦ୍ର ସରକାର ଶିକ୍ଷିତ ବେକାରୀ ନିଯୁକ୍ତି କ୍ଷେତ୍ରରେ ବିଫଳ ବୋଲି ଦର୍ଶାଇବା ପାଇଁ ଏଭଳି ପ୍ରତୀକ ଧର୍ମଘଟ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି । ମୋଦୀ କଥା ଛଳରେ ଶିକ୍ଷିତ ଯୁବକ ପକୋଡା ବିକିବା କଥା କହି ଯୁବ ପିଢିକୁ ସ୍ୱାବଲମ୍ବୀ ଏବଂ ଦୁର୍ନିତୀ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ବିଜେପି ନେତା ।