‘କାଜିରଙ୍ଗା’ ବୁଲିଲେ, ନିଜେ କ୍ୟାମେରା ଧରି ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ । ଜଙ୍ଗଲ ସଫାରୀ କରି ପର୍ଯ୍ୟଟକଙ୍କୁ କଲେ ଅପିଲ ।

84

କନକ ବ୍ୟୁରୋ: ପୁଣି ଥରେ ବନ୍ୟପ୍ରାଣୀଙ୍କ ଗହଣରେ ସମୟ କାଟିଲେ ପ୍ରଧାନମନ୍ତ୍ରୀ । ଶନିବାର କାଜିରଙ୍ଗା ଜାତୀୟ ଉଦ୍ୟାନରେ ପହଁଚିଥିଲେ ମୋଦୀ । ହାତରେ କ୍ୟାମେରା ଓ ମୁଣ୍ଡରେ କ୍ୟାପ୍ , ଭିନ୍ନ ଏକ ଅବତାରରେ ମୋଦୀଙ୍କୁ ଦେଖିବାକୁ ମିଳିଛି । ହାତୀ ପିଠିରେ ବସି ବୁଲିବା ସହ ଜିପରେ ଟାଇଗର ରିଜର୍ଭରେ ପହଁଚିଥିଲେ । କେବଳ ସେତିକି ନୁହେଁ କାଜିରଙ୍ଗା ବୁଲାକୁ ସ୍ମରଣୀୟ ଓ ଅଭୁଲା କରିବାକୁ ଆକର୍ଷଣୀୟ ଦୃଶ୍ୟ ସବୁ ନିଜେ କ୍ୟାମେରାରେ କଏଦ କରିଥିଲେ ପ୍ରଧାନମନ୍ତ୍ରୀ । ହାତୀମାନଙ୍କୁ ସେମାନଙ୍କର ପସନ୍ଦର ଖାଦ୍ୟ ଅର୍ଥାତ ଆଖୁ ଖୁଆଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ମୋଦୀ ନିଜ ସୋସିଆଲ ମିଡିଆ ଆକାଉଁଟରେ କାଜିରଙ୍ଗାର ଫଟୋ ପୋଷ୍ଟ କରିବା ସହ ଏହା ତାଙ୍କୁ ଭିନ୍ନ ଅନୁଭୂତି ଦେଇଥିବା କହିଛନ୍ତି । ସେପଟେ ଜଙ୍ଗଲ ସୁରକ୍ଷାରେ ମୃତୟନ ମହିଳା ଫରେଷ୍ଟ ଗାର୍ଡଙ୍କୁ ଭେଟିବା ସହ ତାଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ । ସୁରକ୍ଷା କ୍ଷେତ୍ରରେ ମହିଳାଙ୍କ ଅବଦାନ, ସେମାନଙ୍କ ସାହସକୁ ଶତ ସଲାମ କରି କିଛି ଫଟୋ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

କାଜିରଙ୍ଗା ଆସିବାକୁ ମୋଦିଙ୍କ ଅପିଲ
ସୋସିଆଲ ମିଡିଆରେ ‘କାଜିରଙ୍ଗା’ ଭାଇରାଲ

କାଜିରଙ୍ଗାର ସୌନ୍ଦଯ୍ୟକୁ ବର୍ଣ୍ଣନା କରି ଏଠାକୁ ବୁଲି ଆସିବାକୁ ପର୍ଯ୍ୟଟକଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ୨ ଘଂଟାର ରହଣୀ ସମୟରେ ମୋଦୀଙ୍କ ଅନେକ ଆକର୍ଷଣୀୟ ତଥା ମନଛୁଅାଁ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି । ଫଲୋଅର ବେଶ ପସନ୍ଦ କରିବା ସହ ମୋଦୀଙ୍କ ସ୍ୱତନ୍ତ୍ର ଅନ୍ଦାଜକୁ ପ୍ରଶଂସା କରିଛନ୍ତି । ଆଜିଠୁ ଦୁଇଦିନିଆ ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।