କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଅବସରରେ ଜମ୍ମୁ-କାଶ୍ମୀର ରାଜୌରୀର ନୈସେରା ଠାରେ ପହଂଚିଛନ୍ତି । ସେଠାରେ ସେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଅନ୍ୟ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିବାକୁ ଯାଇଛନ୍ତି । ଏହି ଅବସରରେ ସେ ଯବାନମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ପାଇ ଯବାନମାନେ ଖୁସିଥିବା ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସମ୍ବୋଧିତ କରି କହିଛନ୍ତି କି “ଏହା ମୋର ଏମିତି ପରିବାର ଯାହାଙ୍କ ସହିତ ମୁଁ ମୋର ପ୍ରତିଟି ଦୀପାବଳି ପାଳନ କରୁଛି” ପ୍ରଧାନମନ୍ତ୍ରୀ କହିଥିଲେ କି ସେନାର ଯବାନମାନେ ସୀମାରେ ଜଗି ରହିଥିବାରୁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଦେଶର ସୁରକ୍ଷା କବଚ ବୋଲି ଅଭିହିତ କରିଛନ୍ତି । ଏହାସହ ସେନା ଯବାନଙ୍କ ଅତ୍ମବିଶ୍ୱାସ ବୃଦ୍ଧି କରିବାକୁ ସେମାନଙ୍କ ବୀରତାରର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ କି, ପ୍ରଥମେ ଦେଶର ଯବାନମାନଙ୍କ ପାଇଁ ଅସ୍ତ୍ର ଶସ୍ତ୍ର ଆବଶ୍ୟକ ପଡିଲେ ଅନ୍ୟଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଦେଶ ଭିତରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ନିର୍ମାଣ କରାଯାଉଛି । ଅନ୍ୟପଟେ ସେନାରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେନାରେ ଯୋଗଦେବା ପୂର୍ବରୁ ଦେଶର ମହିଳା ମାନଙ୍କୁ ଏନଡିଏ ସହ ଅନ୍ୟ ସ୍କୁଲରେ ଟ୍ରେନିଂ ନେବାର ପୁରା ସୁଯୋଗ ଦିଆଯାଉଛି । ଏବେ ସେନାରେ ମହିଳାମାନଙ୍କ ସକ୍ରିୟତା ସେହି କାରଣରୁ ବୃଦ୍ଧି ପାଇଛି । ଏହାଦ୍ୱାରା ସାରା ବିଶ୍ୱରେ ଭାରତୀୟ ସେନାର ଚିତ୍ର ଶକ୍ତ ହେବାରେ ଲାଗିଛି ।
#WATCH "I am not here as a PM but as your family member to celebrate Diwali," PM Modi to army personnel at Nowshera in Jammu & Kashmir pic.twitter.com/YJOb1sVGvE
— ANI (@ANI) November 4, 2021
କହିରଖୁ କି ୨୦୧୪ ରେ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଥମଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସେବେଠାରୁ ସେ ପ୍ରତି ଦୀପାବଳି ଯବାନମାନଙ୍କ ସହ ପାଳନ କରୁଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ଦୀପାବଳି ଅବସରରେ ଶୁଭ କାମନା ଜଣାଇଛନ୍ତି ।