କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତିନି ଠାକରୁଙ୍କୁ ରଥରେ ମନଭରି ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଧାଇଁ ଆସିଛନ୍ତି ପୁରୀ ଜଗନ୍ନାଥ ଧାମକୁ । ଏପଟେ ଜଗତର ନାଥ ଜଗନ୍ନାଥ ଚକା ଆଖିରେ ଭକ୍ତଙ୍କୁ ଦେଖିବେ ବୋଲି ଆତୁର ହେଲେଣି। ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ସିଂହଦ୍ୱାରରେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି। ଚତୁର୍ଧାମୂର୍ତ୍ତିଙ୍କୁ ରଥରେ ଟିକିଏ ଆଖି ପୂରାଇ ଦେଖିବେ ବୋଲି ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।

Advertisment

publive-image

ତେବେ ଆଜିର ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । "ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୋଦି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କ ଶୁଭକାମନା ଜଣାଇଛନ୍ତି। ସେ ନିଜ ଟୁଇଟରେ କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି।" ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି।

ସେହିଭଳି ପୁରୀ ମନ୍ଦିର ଓ ରଥଯାତ୍ରାର ଚିତ୍ର ଓ ନିଜର ଯୋଡ଼ହସ୍ତ ଫଟୋ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ମଧ୍ୟ ଶୁଭେଚ୍ଚା ବାର୍ତ୍ତା ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି: ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆମ୍ଭ ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ...ଜୟ ଜଗନ୍ନାଥ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିଜର ଏକ ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଶ୍ରୀଜଗନ୍ନାଥ ଭଗବାନ ବିଷ୍ଣଙ୍କ ଏକ ଅବତାର ଭାବେ ପରିଗଣିତ ହୁଅନ୍ତି । ରଥଯାତ୍ରାରେ ସବୁବର୍ଗର ଲୋକ ଏକାଠି ହୋଇ ଏହାକୁ ପାଳନ କରନ୍ତି । ରଥଯାତ୍ରା ସହ ଜଡିତ ଏହି ପବିତ୍ର ଚିନ୍ତାଧାରା ଆମ ଜୀବନକୁ ଶାନ୍ତି ଓ ସଦ୍ଭାବ ପଥରେ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।