ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କ ଟୁଇଟ୍ । ଓଡିଆ ଭାଷାରେ ଲେଖିଲେ, ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି’

187

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଟୁଇଟ୍ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।’

ଆଜି ଦିନିକିଆ ଭବାନୀପାଟଣା ଗସ୍ତରେ ଆସୁଛନ୍ତି ନରେନ୍ଦ୍ର ମୋଦି । କ୍ରିଷ୍ଣା ନଗର ପଡ଼ିଆରେ ହେବାକୁ ଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କ ସମ୍ବୋଧିତ କରିବେ ମୋଦି । ଏହା ପୂର୍ବରୁ ଜୟପୁର ଗସ୍ତରେ ମୋଦି ଉଭୟ ବିଜେଡି ଏବଂ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ନବୀନ ସରକାରଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିବା ସହ ଓଡ଼ିଶାରେ ପରିବର୍ତନ ପାଇଁ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

ବଡ କଥା ହେଉଛି ଗତ ରବିବାର ଦିନ- ମେଁ ଭି ଚୌକିଦାର କାର୍ଯ୍ୟକ୍ରମରେ ଓଡ଼ିଶା ସଂପର୍କରେ ଏକ ବଡ ବୟାନ ରଖିଥିଲେ ମୋଦି । କହିଥିଲେ- ଓଡ଼ିଶାରେ ଏକ ବଡ ପରିବର୍ତନ ହେବାକୁ ଯାଉଛି, ଯାହା ସମସ୍ତଙ୍କୁ ଚକିତ କରିଦେବ । ଏମିତି କି ତ୍ରିପୁରା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି ମୋଦି କହିଥିଲେ । ଏହା ପରେ ପରେ ନବୀନ ପଟ୍ଟନାୟକ ମୋଦିଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଥିଲେ- ଓଡ଼ିଶାରେ ବିଜେଡି ଖୁବ୍ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ । ତେବେ ଦେଖିବାର କଥା ମୋଦି ଭବାନୀପାଟଣା ଗସ୍ତରେ ତ୍ରିପୁରା ଫର୍ମୁଲା ସଂପର୍କରେ କହୁଛନ୍ତି ନା ନାହିଁ? ।