କନକ ବ୍ୟୁରୋ : ସଡକ କେବଳ ଟ୍ରାଫିକ ନୁହେଁ ବିକାଶର ପ୍ରତିକ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିପାରେ । ଉଦଘାଟନ ସମୟ ଏହା ହିଁ ସଂକେତ ଦେଉଛି । ଆଜି ପ୍ରଧାନମନ୍ତ୍ରୀ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ । ସେହି ସ୍ଥାନରେ ଯୁଦ୍ଧ ବିମାନର ଗର୍ଜନ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ହିଁ ଶୁଣିବାକୁ ମିଳିଛି ।
ଆଜି ଏହି ସ୍ଥାନରେ ଉଦଘାଟନ ଉତ୍ସବ ପାଳନ ହେବ । ତା ସହ ଦେଶ ଦେଖିବ ଏମିତି ଏକ୍ସପ୍ରେସ ୱେ ଯାହାକୁ ଦେଶ କେବେ ଦେଖିନି । ୩୪୧ କିଲୋମିଟରର ଏହି ଲମ୍ବା ଏକ୍ସପ୍ରେସ ୱେ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲଖ୍ନୌ ଠାରୁ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ । ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ଶୋ । ଯେଉଁଠି ସୁକୋଇ, ମିରାଜ ଭଳି ଲଢୁଆ ବିମାନର କମାଲ ଦେଖିବାକୁ ମିଳିବ । ଆଉ ଏହି ସବୁ ବିମାନର ଏକ୍ସପ୍ରେସ୍ ୱେରେ କରିବେ ଅବତରଣ ।
ଏହି ୱେକୁ ନେଇ କିଛି ତଥ୍ୟ ଉପରେ ନଜର ପକାଇବା -
- ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲମ୍ବ ୩୪୧ କିଲୋମିଟର
- ୮ଘଣ୍ଟା ୩୦ ମିନିଟରେ ପହଂଚି ହେବ ନଏଡାରୁ ଗାଜିପୁର
- ଲକ୍ଷ୍ନୌ ଠାରୁ ଗାଜିପୁର ଯିବା ପାଇଁ କୌଣସି ସ୍ଥାନରେ ରହିବାକୁ ପଡିବନି
- ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ଏହି ଲମ୍ବା ରାସ୍ତା ପ୍ରସ୍ତୁତ
- ଏଥିରେ ୧୮ଟି ଫ୍ଲାଏଓଭର ଓ ୭ଟି ରେଲୱେ ବ୍ରିଜ ରହିଛି
- ୭ଟି ବଡ ବ୍ରିଜ ସହ ୧୧୮ଟି ଛୋଟ ବ୍ରିଜ ରହିଛି
- ୧୩ଟି ଇଂଟରଚେଂଜ ଓ ୮ଟି ଟୋଲ ପ୍ଲାଜା ରହିଛି
- ୨୭୧ଟି ଅଂଡରପାସ ଓ ୫୦୩ଟି ଛୋଟ ପୋଲ ରହିଛି
- ଗାଡି ଚଢିବା ଓ ଉଠିବା ପାଇଁ ରହିଛି ୧୩ଟି କଟ୍
- ଏହା ଉତ୍ତରପ୍ରଦେଶର ୯ଟି ଜିଲ୍ଲା ଦେଇ ଗତି କରିବ
- ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏହି ସ୍ଥାନରେ କଡାକଡି ରହିଛି
- ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଂଟ ବ୍ୟବସ୍ଥା କରାଯାଇଛି
- ପଶୁ ପକ୍ଷୀ ଯେପରି ନଆସିପାରିବେ ସେ ବ୍ୟବସ୍ଥା ରହିଛି
- ୩ କିଲୋମିଟରର ରନୱେ ରହିଛି
- ଜରୁରୀ ସ୍ଥିତିରେ ଏଠାରେ କୌଣସି ବି ବିମାନ ଓହ୍ଲାଇପାରିବ
- ବିମାନ ଅବତରଣ ସମୟରେ ରାସ୍ତାର ଟ୍ରାଫିକକୁ ଅଟକାଇବାକୁ ପଡିବ ନାହିଁ