କନକ ବ୍ୟୁରୋ: କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁରରେ ବସନ୍ତପୁରଠାରେ ନବନିର୍ମିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବେ ବୋଲି ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ୪ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ରହିଥିବା ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ୱାଲ ସୂଚନା ଦେଇଛନ୍ତି । ତେବେ ଏହା ପରେ ଏମସିଏଲର ୪ଟି ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଏମସିଏଲ ମହାପ୍ରବନ୍ଧକ କହିଛନ୍ତି । ବସନ୍ତପୁରସ୍ଥିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ରେମେଡରେ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମାବେଶର ନାଁ ବିଶାଳ ଗ୍ୟାରେଂଟି ସମାବେଶ ରଖାଯାଇଥିବା ଏହି ସମାବେଶରେ ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପିର ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ କହିଛନ୍ତି । ଏହି ସମାବେଶରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ବେବେ । ପଶ୍ଚିମ ଓଡିଶା ପାଇଁ ଅନେକ ପ୍ରକଳ୍ପର ଘୋଷଣା ହେବାକୁ ଥିବାବେଳେ ସାଧାରଣ ଲୋକେ ଉତ୍ସାହିତ ଥିବା ଜିଲ୍ଲା ସଭାପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସଂପୃକ୍ତ କର୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ । ୩ ତାରିଖ ଅପରାହ୍ଣରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଂଚି ଆଇଆଇଏମ୍ କ୍ୟାମ୍ପସରେ ପହଂଚିବେ । ତେବେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର, ହେଲିପ୍ୟାଡ୍ ସ୍ଥଳରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ । ସେହିପରି କାର୍ଯ୍ୟକ୍ରମସ୍ଥଳ ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା ଏବଂ ଅତିରିକ୍ତ ଦୁଇଟି ଜେନେରେଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ର ଗସ୍ତ ସମୟରେ କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳରେ କ୍ରିଟିକାଲ କେୟାର ବକ୍ସ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।