ପ୍ରଧାନମନ୍ତ୍ରୀ ମୋଦୀ କତାର ଗସ୍ତ : ନିକଟରେ କତାର ୮ ଜଣ ଭାରତୀୟ ଅଧିକାରୀଙ୍କୁ ମୁକ୍ତ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାର ଗସ୍ତ କରୁଛନ୍ତି । କତାର ଏବଂ ଭାରତ ମଧ୍ୟରେ ସମ୍ପର୍କର ଏକ ସୁବର୍ଣ୍ଣ ଇତିହାସ ରହିଛି । ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ୨୦୧୬ ରେ କତାର ଗସ୍ତ କରିଥିଲେ ।

Advertisment

ୟୁଏଇରେ BAPS ମନ୍ଦିର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାର ଅଭିମୁଖେ ଯାତ୍ରା କରିବେ। ମଧ୍ୟପୂର୍ବର କତାର ଏକ ଛୋଟ ଦେଶ କିନ୍ତୁ ବୈଦେଶିକ ରଣନୀତି ଦୃଷ୍ଟିରୁ କତାରର ନିଜର ପରିଚୟ ରହିଛି । ଗତ କିଛି ବର୍ଷ ମଧ୍ୟରେ କତାର ନିଜକୁ ସମଗ୍ର ବିଶ୍ୱ ସାମ୍ନାରେ ଏକ ପ୍ରଭାବଶାଳୀ ମଧ୍ୟସ୍ଥି ଭାବରେ ଉପସ୍ଥାପନ କରିପାରିଛି । ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଦେଶ ତଥା ଆମେରିକା, ଚୀନ୍, ରୁଷ ଏବଂ ଇରାନ ସହ କତାରର ଭଲ ସମ୍ପର୍କ ରହିଛି । ମଧ୍ୟପୂର୍ବରେ ଆମେରିକାର ବୈଦେଶିକ ନୀତିରେ କତାର ଏକ ବିଶେଷ ଭୂମିକା ଗ୍ରହଣ କରିଛି ।

ଭାରତ ସହିତ କତାରର ସମ୍ପର୍କ ମଧ୍ୟ ବହୁତ ପୁରୁଣା ଏବଂ ଗଭୀର । ଶକ୍ତି କ୍ଷେତ୍ରରେ କତାର ଭାରତର ଏକ ପ୍ରମୁଖ ସହଯୋଗୀ । ଏହା ବ୍ୟତୀତ କତାର, ଭାରତରେ ଅନେକ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ଆଡକୁ ଅନୁଷ୍ଠିତ ହେଉଛି ତେଣୁ କାତାର ଏବଂ ଭାରତ ମଧ୍ୟରେ ଆହୁରି ଅନେକ ବଡ଼ ଚୁକ୍ତିନାମା ସ୍ୱାକ୍ଷର ହୋଇପାରିବ ବୋଲି ଆଶା କରାଯାଉଛି ।

କତାର ସହିତ ଭାରତର ବାଣିଜ୍ୟ

ଭାରତ ଏହାର LNG ଆବଶ୍ୟକତାର ୪୮% କାତାରରୁ ଆମଦାନୀ କରୁଥିବାବେଳେ ସେଠାରୁ ମୋଟ LPG ର ୨୯% ଆମଦାନୀ କରିଥାଏ । ଏହା ବ୍ୟତୀତ କତାରରୁ ଭାରତକୁ ଅନ୍ୟାନ୍ୟ ପ୍ରକାରର ପେଟ୍ରୋଲିୟମ ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ ଏବଂ ସାର ଆମଦାନୀ କରାଯାଏ। ଭାରତ କାତାରକୁ ଧାତୁ, ପନିପରିବା ଏବଂ ମସଲା ରପ୍ତାନି କରେ ।

କତାରରେ ଭାରତୀୟ

କତାରରେ ୮ ଲକ୍ଷ ୩୫ ହଜାର ଭାରତୀୟ କାମ କରନ୍ତି ।  ଯାହା କତାରର ମୋଟ ଜନସଂଖ୍ୟାର ୨୭ ପ୍ରତିଶତ ଅଟେ ।  ଭାରତୀୟ ଲୋକମାନେ ସେଠାରେ ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟାଙ୍କିଙ୍ଗ, ଫାଇନାନ୍ସ, ମିଡିଆ ଏବଂ ମାର୍କେଟିଙ୍ଗ  ଚାକିରିରେ ଅଛନ୍ତି । କତାରରେ ସମୁଦାୟ ୧୫,୦୦୦ ଛୋଟ ଏବଂ ବଡ ଭାରତୀୟ କମ୍ପାନୀ ଉପସ୍ଥିତ ଅଛନ୍ତି । ଭାରତୀୟ କମ୍ପାନୀଗୁଡିକ କତାରରେ ୪୫୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛନ୍ତି ।

ଭାରତ ଏବଂ କାତାର ମଧ୍ୟରେ ସମ୍ପର୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ମଧ୍ୟପୂର୍ବର ଦେଶ କତାରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କାତାର ଗସ୍ତରେ ଆସିଥିବା ସୁଷମା ସ୍ୱରାଜ ପ୍ରଥମ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୦୧୬ ରେ କତାର ଯାଇଥିଲେ। କତାରକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ ଯାହାକି ୧୪-୧୫ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ନଭେମ୍ବର ୨୦୦୮ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କାତାର ଗସ୍ତ କରିଥିଲେ ।

ମୋଦୀ ସରକାରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ , ତତ୍କାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅନ୍ୟାନ୍ୟ ମନ୍ତ୍ରୀ କତାର ଗସ୍ତ କରିଛନ୍ତି । କତାରର ଏମିର ଶେଖ ତମିମ ବିନ ହମାଦ ଅଲ ଥାନି ୨୦୧୫ ରେ ଭାରତ ଗସ୍ତ କରିଥିଲେ। ତାଙ୍କ ପୂର୍ବରୁ ତାଙ୍କ ପିତା ଏବଂ ତତ୍କାଳୀନ ଆମୀର ୧୯୯୯, ୨୦୦୫ ଏବଂ ୨୦୧୨ ରେ ଭାରତ ଗସ୍ତ କରିଥିଲେ ।