ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର କରିବେ ଲୋକାର୍ପଣ । ଭେଟି ଦେବେ ୬୮ହଜାର କୋଟି ଟଙ୍କାର ପ୍ରକଳ୍ପ ।

116

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଂଟ ଡାଉନ । ବଡ଼ବଡ଼ ନେତା ଏବେ ଓଡ଼ିଶାରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି । କିଛି ଦିନ ତଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି ନିର୍ବାଚନୀ ବିଗୁଲ ବଜାଇ ସାରିଛନ୍ତି । ଆଉ ଆଜି ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ବିଗୁଲ ବଜାଇବେ ବୋଲି କୁହାଯାଉଛି ।

ସମ୍ବଲପୁରରେ ନବନିର୍ମିତ ଆଇଆଇଏମର ନୂଆ କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିବେ ମୋଦୀ । ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇଟିକିଆ ପୋଲର ଉଦ୍ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି । ଏହା ପରେ ରେମେଡରେ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦୀ । ଏହି ସମାବେଶର ନାଁ ରହିଛି ‘ବିଶାଳ ଗ୍ୟାରେଣ୍ଟି ସମାବେଶ’ । ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ । ଏହି ସମାବେଶରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ବେବେ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅପରାହ୍ନ ୧.୪୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ । ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ନ ୨ଟା ୧୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ । ରେମେଡ ସଭାସ୍ଥଳରେ ପହଂଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଉତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲରା ଏସପି ଓ ଦୁଇଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।