ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଦେଶର ମଙ୍ଗ ଧରିବେ ନରେନ୍ଦ୍ର ମୋଦି ।

131

କନକ ବ୍ୟୁରୋ : ଆସନ୍ତା ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ମେ’ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ମଙ୍ଗ ଧରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରରେ ମୋଦି ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଏନଡିଏ ସଂସଦୀୟ ଦଳର ବୈଠକରେ ସର୍ବସମ୍ମତି କ୍ରମେ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ କରାଗଲା । ଏହା ପରେ ସେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଆସନ୍ତା ୩୦ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେବେ ବୋଲି ଜଣାପଡିଛି । ସେମାନଙ୍କୁ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପଦ ଓ ଗୋପନୀୟତା ଶପଥ ପାଠ କରାଇବେ । ଏହି ଉତ୍ସବରେ ବହୁ ବିଶିଷ୍ଟ ନେତାଙ୍କ ସହ ସାର୍କ ଦେଶର ମୁଖ୍ୟମାନେ ନିମନ୍ତ୍ରିତ ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି ।