୨୪ ବର୍ଷରେ ୭ଥର ଶପଥ ଗ୍ରହଣ ରେକର୍ଡ କରିବେ ମୋଦୀ । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପଦ ପାଇଁ ଶପଥ ପାଠ ଅନିବାର୍ଯ୍ୟ କାହିଁକି? ଶପଥ ଭାଙ୍ଗିଲେ ଦଣ୍ଡ କ’ଣ?

566

କନକ ବ୍ୟୁରୋ: ନରେନ୍ଦ୍ର ମୋଦୀ ଆଜି ଭିନ୍ନ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି । କାରଣ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି । ଏହାସହ ମୋଦୀଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । କାରଣ ୨୪ ବର୍ଷରେ ଏହାକୁ ମିଶାଇ ୭ ଥର ଶପଥ ଗ୍ରହଣ କରୁଛନ୍ତି ମୋଦୀ । ମୁଖ୍ୟମନ୍ତ୍ରୀ ଭାବେ ୪ ଥର ଓ ପ୍ରଧାନମନ୍ତ୍ରୀ ଭାବେ ୩ ଥର ଶପଥ ଗ୍ରହଣ କରୁଛନ୍ତି ମୋଦୀ ।

୨୦୦୧, ଅକ୍ଟୋବର ପ୍ରଥମ ଥର ପାଇଁ ମୋଦୀ ୫୧ ବର୍ଷ ବୟସରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୦୨ ଡିସେମ୍ବରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । କ୍ରମାଗତ ଭାବେ ୨୦୦୭ ଓ ୨୦୧୨ରେ ମଧ୍ୟ ତୃତୀୟ ଓ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମୋଦୀ । ଏହାପରେ ୨୦୧୪ ଓ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ।
ଭାରତରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତଙ୍କ ପାଇଁ ଶପଥପାଠ ଅନିବାର୍ଯ୍ୟ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ନେଇ ସମ୍ବିଧାନର ଅନୁଚ୍ଛେଦ ୭୫ରେ ଉଲ୍ଲେଖ ଥିବାବେଳେ ଅନୁଚ୍ଛେଦ ୭୫(୪)ରେ ମନ୍ତ୍ରୀଙ୍କର ଶପଥ ଗ୍ରହଣ ନେଇ ବ୍ୟବସ୍ଥ୍ା ରହିଛି । ସେହିଭଳି ଅନୁଚ୍ଛେଦ ୯୯ରେ ସାଂସଦମାନଙ୍କର ଶପଥଗ୍ରହଣ ନେଇ ବ୍ୟବସ୍ଥା ରହିଛି ।
ଶପଥ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ କ’ଣ?

ସମ୍ବିଧାନ ବିଶେଷଜ୍ଞଙ୍କ କହିବା ଅନୁସାରେ, ପଦ ଓ ଗୋପନୀୟତାର ଶପଥ ଭାଙ୍ଗିଲେ ସମ୍ପୃକ୍ତ ବ୍ୟକ୍ତିତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ରହିଛି । ରାଷ୍ଟ୍ରପତି କିମ୍ବା ପ୍ର୍ରଧାନମନ୍ତ୍ରୀ ଶପଥ ଓ ଗୋପନୀୟତା ଭଙ୍ଗ କଲେ ତାଙ୍କ ବିରୋଧରେ ଦୁଇଟି ପକ୍ରିୟାରେ କାର୍ଯ୍ୟାନୁଷ୍ଠାନ ହେବ । ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ମହାଅଭିଯୋଗ ଓ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ମନ୍ତ୍ରୀ ଓ ସାଂସଦଙ୍କ କ୍ଷେତ୍ରରେ ନିଲମ୍ବନ , ସଦସ୍ୟତା ସମାପ୍ତ ପରି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇପାରେ । ଏହାସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର କରାଯାଇପାରେ । ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷ ଦଣ୍ଡ ସହ ନିର୍ବାଚନ ଲଢିବା ଉପରେ ରୋକ ଲଗାଯାଇପାରେ ।