ଆଜି ସକାଳ ୯ ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ । ୨୧ ଦିନର ତାଲା ବନ୍ଦ ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରଖିବେ ବାର୍ତ୍ତା

ଆସନ୍ତା ୧୧ ଦିନ କିପରି କରିବା ମୁକାବିଲା ଦେଖାଇ ପାରନ୍ତି ବାଟ

719

କନକ ବ୍ୟୁରୋ: ଆଜି ସକାଳ ୯ ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେବାର ଆଜି ହେଉଛି ଦଶମ ଦିନ । ଏହା ମଧ୍ୟରେ ତାଲାବନ୍ଦକୁ ନେଇ ସାରା ଦେଶବାସୀ ଅନେକ ସମସ୍ୟାର ଶିକାର ହେଲେଣି । କୋଟି କୋଟି ଜନତା ନିଜର କାମଧନ୍ଦା ହରାଇ ଭୋକ ବିକଳରେ ଅଛନ୍ତି । ଏହାରି ଭିତରେ ଆସିବ ମୋଦିଙ୍କ ଭିଡିଓ ବାର୍ତ୍ତା । କରୋନା ମୁକାବିଲା ନେଇ ଗତ ୧୦ ଦିନ ଦେଶବାସୀ ଅଦଭୂତପୂର୍ବ ସମର୍ଥନ ଦେଖାଇଛନ୍ତି । ବାକି ୧୧ ଦିନ କିପରି କରିବା ମୁକାବିଲା ସେନେଇ ମୋଦି ଦେଖାଇ ପାରନ୍ତି ବାଟ । ଏହି ତାଲା ବନ୍ଦ ଆସନ୍ତା ଅପ୍ରେଲ ୧୪ ତାରିଖରେ ଶେଷ ହେବ ।

ସେପଟେ, ଦେଶରେ ୨ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶେଷ ଖବର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅଣସ୍ତରୀ ରହିଛି । ବର୍ତମାନ ସୁଦ୍ଧା ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ହୋଇଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି ଗତ ୨୪ ଘଂଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ୩୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ, ୧୫୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ତବଲିଘି ଜମାତର କର୍ମକର୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୯ ହଜାର ଲୋକଙ୍କୁ କ୍ୱାରେଂଟାଇନ୍ ବା ସଙ୍ଗରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ୯ ହଜାରଙ୍କ ଭିତରୁ ୧ ହଜାର ୩ ଶହ ୬ଜଣ ବିଦେଶୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମସ୍ତ ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ ପଦ କ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ।