କାଲି ଶେଷ ପର୍ଯ୍ୟାୟ ମତଦାନ ସହ ସାରା ଦେଶରେ ସରିବ ଭୋଟ । ୟୁପିର ହାଇପ୍ରୋଫାଇଲ ବାରଣାସୀ ଆସନ ଉପରେ ନଜର

ମୋଦିଙ୍କ ବିରୋଧରେ ସାଲିନୀ ଦେବୀ ଓ ଅଜୟ ରାୟ;ବିଜେପି ଓ ଟିଏମସି ପାଇଁ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ୯ଟି ଆସନ

96

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ । ୫୯ ଆସନରେ ୯୧୮ ପ୍ରାର୍ଥୀ । ମତଦାନ କରିବେ ପ୍ରାୟ ୧୦ କୋଟି ଭୋଟର । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ଦିଗଜଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଉତରପ୍ରଦେଶରେ ୧୩ , ପଂଜାବରେ ୧୩ , ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ । ସେହିପରି ବିହାରରେ ୮ଟି , ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪ , ଝାଡଖଣ୍ଡରେ ୩ ଆସନ ଓ ଚଣ୍ଡିିଗଡର ଗୋଟିଏ ଆସନରେ ହେବ ମତଦାନ ।

ତେବେ ଶେଷ ପର୍ଯ୍ୟାୟ ମତଦାନରେ ସାରାଦେଶର ନଜର ରହିଛି ପଶ୍ଚିମବଂଗ ଉପରେ । । ପଶ୍ଚିମବଂଗରେ ମତଦାନ ହେଉଥିବା ୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ସବୁ ଦଖଲ କରିଥିଲା ଟିଏମସି । ତେଣୁ ଏଥର ଟିଏମସିର ଏହି ଗଡ ଭାଂଗିବାକୁ ବିଜେପି ଯୋଜନା କରିଥିବାରୁ ଟିଏମସି ଓ ବିଜେପି ମଧ୍ୟରେ ହେବ ଜୋରଦାର ଟକ୍କର । ସବୁଠାରୁ ହାଇପ୍ରୋଫାଇଲ୍ ବାରଣାସୀ ଆସନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଠାରେ ସପାର ଶାଳିନୀ ଦେବୀ ଓ କଂଗ୍ରେସର ଅଜୟ ରାୟଙ୍କ ମଧ୍ୟରେ ଟକ୍କର ହେଉଛି । ପାଟନା ସାହିବ ଆସନ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ହେବ ଲଢେଇ । ଗୁରୁଦାସପୁରରୁ ଅଭିନେତା ସନି ଦେଓଲ , ଗୋରଖପୁରରୁ ରବି କିଶନ, ଦୁମକା ଆସନରୁ ଜେଏମଏମ୍ ମୁଖ୍ୟ ଶିବୁ ସୋରେନ୍ , ବିହାର ସାସାରାମ ଆସନରୁ ପୂର୍ବ ଲୋକସଭା ଅଧ୍ୟକ୍ଷ ମୀରା କୁମାର ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସେହିପରି ବିହାରର ପାଟଳିପୁତ୍ର ଆସନରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ଟକ୍କର ଦେଉଛନ୍ତି ଆରଜେଡି ପ୍ରାର୍ଥୀ ମୀସା ଭାରତୀ । ୫୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ବିଜେପି ଜିତିଥିଲା ୩୨ ଆସନ । ତେବେ ଏଥର କେନ୍ଦ୍ରରେ ପୁଣି ଥରେ ୭କ୍ଷମତାକୁ ଫେରିବାକୁ ହେଲେ ୨୦୧୪ର ସଫଳତା ଦଳକୁ ଦୋହରାଇବାକୁ ପଡିବ । ହେଲେ ବିରୋଧୀଙ୍କ ରଣନୀତିକୁ ଦେଖିଲେ ଏଥର ମୋଦୀଙ୍କ ପାଇଁ ଏହା ଏତେ ସହଜ ହେବାପରି ମନେ ହେଉନାହିଁ ।