ଟିକାକରଣ ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା, କମ୍ ଟିକା ନେଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩ ରେ ବୈଠକ

79

କନକ ବ୍ୟୁରୋ :  ଦେଶରେ ୧୦୬ କୋଟିରୁ ଅଧିକ ଲୋକ କୋଭିଡ-୧୯ ଟିକା ନେଇସାରିଛନ୍ତି । ହେଲେ କିଛି ଜିଲ୍ଲା ଏମିତି ଅଛି ଯେଉଁ ଜିଲ୍ଲାଗୁଡିକରେ ଟିକାକରଣ ସନ୍ତୋଷଜନକ ନୁହେଁ । ପ୍ରଧାନମନ୍ତ୍ରୀ ସେହିଭଳି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩ ତାରିଖରେ ବୈଠକ କରିବେ ବୋଲି ସୂଚନା ମିିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବେ ଇଟାଲୀ ଗସ୍ତରେ ଅଛନ୍ତି ।

ଅକ୍ଟୋବର ୨୧ ତାରିଖରେ ଭାରତ ୧୦୦ କୋଟି ଟିକାରଣ ଲକ୍ଷ୍ୟ ପୂରଣ କରିଥିଲା । ହେଲେ ଏବେର ସୂଚନା ମୁତାବକ ଏଭଳି ୧୦ କୋଟି ଲୋକ ଅଛନ୍ତି ଯିଏ କି ଟିକାର ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି । ସରକାରଙ୍କ ଲକ୍ଷ୍ୟ ଯେ ୩-୪ ମାସ ମଧ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକ ଯେଭଳି ଟିକା ନେଇଯିବେ । ସେନେଇ ଟିକା ଉତ୍ପାଦନ ଉପରେ ସରକାର ଫୋକସ୍ କରିଛନ୍ତି । ଭାରତରେ ଟିକାକରଣ ବୃଦ୍ଧି ଫଳରେ କରୋନା ସଂକ୍ରମଣ ବି କମିବାରେ ଲାଗିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ୧୫-୨୦ ହଜାର ମଧ୍ୟରେ ରହିଛି । ହେଲେ କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର ହୋଇଯାଇଥିଲା ।

କୁହାଯାଇଛି କି ଏହି ସମୀକ୍ଷା ବୈଠକରେ ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସାମିଲ କରାଯିବ ଯେଉଁ ଜିଲ୍ଲାଗୁଡିକରେ ମୋଟ ଜନସଂଖ୍ୟାର ୫୦ ପ୍ରତିଶତରୁ କମ ଲୋକ ଟିକାର ଗୋଟିଏ ଖୋରାକ ନେଇଛନ୍ତି । ସୂଚନା ମୁତାବକ ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ,ଅରୁଣାଚଳପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ କିଛି ରାଜ୍ୟର କିଛି ଜିଲ୍ଲାରେ ଏଭଳି ସ୍ଥିତି  ରହିଛି ।