କନକ ବ୍ୟୁରୋ : ଏସସିଓ ବୈଠକରେ ପାକ୍ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି । ସାଂଘାଇ ସମନ୍ୱୟ ସମିତି ବା ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି । ୧୩ ଓ ୧୪ ତାରିଖ ଏସସିଓ ବୈଠକ ଅନୁଷ୍ଠିତ ହେଉଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ମୋଦି ଭେଟିଛନ୍ତି । ତେବେ ଏସସିଓ ମଂଚରେ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିନାହାନ୍ତି । ଏପରିକି ଗୋଟିଏ ଛାତ ତଳେ ଦୁଇ ନେତା ଉପସ୍ଥିତ ଥିଲେ ମଧ୍ୟ ପରସ୍ପରକୁ ଦେଖି ନାହାଁନ୍ତି କି ହାତ ମଧ୍ୟ ମିଳାଇ ନାହାନ୍ତି । ପୂର୍ବରୁ ଯେକୌଣସି ସମସ୍ୟା ସମ୍ପର୍କରେ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ ମୋଦିଙ୍କୁ ଚିଠି ଲେଖିଥିଲେ । ତେବେ ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ସମ୍ଭବ ନୁହଁ ବୋଲି ଭାରତ ଦର୍ଶାଇଥିଲା ।
ସେହିପରି ମୋଦି ଏସସିଓ ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ପାକ୍ ବାୟୁସୀମା ବଦଳରେ ମୋଦି ତୁର୍କିମେନସ୍ଥାନ ଓ ତାଜକିସ୍ତାନ ରୁଟ୍ ଦେଇ କିର୍ଗିସ୍ତାନର ବିଶକେକ୍ ଯାଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିଷୟରେ ଆଲୋଚନା କରିଛନ୍ତି । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ରେଳ ପଥର ବିକାଶ, ଏକେ ୨୧୩ ରାଇଫଲ କାରଖାନା, ପ୍ରତିରକ୍ଷା ସଂପର୍କ ନେଇ ଆଲୋଚନା ହୋଇଛି ।