ନୂଆ ଟିମକୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦୀ : ସଂଧ୍ୟାରେ ୫ଟାରେ କେନ୍ଦ୍ର କ୍ୟାବିନେଟ, ୭ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

96

କନକ ବ୍ୟୁରୋ : ନୂଆ ଟିମକୁ ଆଜି ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର କ୍ୟାବିନେଟରେ ବଡଧରଣ ଅଦଳ ବଦଳ କରିବା ସହ ମନ୍ତ୍ରିମଣ୍ଡଳରେ ନୂଆ ନେତାଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ । ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ୫ଟାରେ ବସିବ କ୍ୟାବିନେଟ ବୈଠକ । ସେହିପରି ସଂଧ୍ୟା ୭ଟାରେ ମନ୍ତ୍ରିପରିଷଦ ବୈଠକ ବସିବା ନେଇ ସୂଚନା ରିହିଛି ।

ଗତମାସରେ ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମନ୍ତ୍ରିପରିଷଦ ବୈଠକରେ ଆଲୋଚନା କରିଥିଲେ । ଏବେ କିନ୍ତୁ ମନ୍ତ୍ରିପରିଷଦରେ ଅନେକ ଚେହେରା ବଦଳି ଯାଇଛନ୍ତି । କ୍ୟାବିନେଟରେ ମଧ୍ୟ ଏକାଧିକ ମନ୍ତ୍ରିଙ୍କ ପଦବୀ ଅଦଳ ବଦଳ ହୋଇଛି । ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ ମନଶୁଖ ମାଣ୍ଡଭ୍ୟଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମିଳିଛି । କିରଣ ରିଜଜୁଙ୍କୁ ଆଇନ ମନ୍ତ୍ରାଳୟ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷ ମନ୍ତ୍ରାଳୟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମିଳିବା ସହ ୭ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ତେଣୁ ବିଭାଗ ଅଦଳବଦଳ ପରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ବାବଦରେ ଅବଗତ କରାଇବା ସହ ନୂଆମନ୍ତ୍ରୀ ମାନଙ୍କୁ ସରକାରଙ୍କ ଆଭିମୁଖ୍ୟ ବାବଦରେ ଟିପ୍ସ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପଟେ ଆଜି ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟୁଛନ୍ତି ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀ ।