ଜୁନ ୧ରେ ଶେଷ ପର୍ଯ୍ୟାୟ ଭୋଟ । ଆଜି ସଂଧାରୁ ୪୮ ଘଂଟା ପର୍ଯ୍ୟନ୍ତ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ, କନ୍ୟାକୁମାରୀର ଭଗବତୀ ଅମ୍ମନ ମନ୍ଦିରରେ କଲେ ପୂଜାର୍ଚ୍ଚନା

108

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ସରିବା ପରେ କନ୍ୟାକୁମାରୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ । ୪୮ ଘଂଟା ପର୍ଯ୍ୟନ୍ତ ଧ୍ୟାନ ମୁଦ୍ରାକୁ ଯାଇଛନ୍ତି ନରେନ୍ଦ୍ର ମୋଦି । କନ୍ୟାକୁମାରୀରେ ପହଁଚିବା ପରେ ପ୍ରଥମେ ଭଗବତୀ ଅମ୍ମନ ମନ୍ଦିରକୁ ଯାଇ ମୋଦି ପୂଜାର୍ଚ୍ଚନା କରିଛନ୍ତି । ପରେ ସମୁଦ୍ର ମଧ୍ୟରେ ଅବସ୍ଥିତ ବିବେକାନନ୍ଦ ଶୀଳାକୁ ଯାଇ ଧ୍ୟାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ଦିନ ହିଁ ମୋଦି ନିଜର ଧ୍ୟାନ ଅବସାନ କରିବେ । ୨୦୧୪ ମସିହାରୁ ଏହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ୨୦୧୪ ମସିହାରେ ନିର୍ବାଚନ ପ୍ରଚାର ସରିବା ପରେ ମହାରାଷ୍ଟ୍ରରେ ଅବସ୍ଥିତ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼କୁ ଯାଇ ଧ୍ୟାନ ମୁଦ୍ରାରେ ବସିଥିଲେ ମୋଦି । ସେହିଭଳି ୨୦୧୯ ନିର୍ବାଚନ ପ୍ରଚାର ସାରି କେଦାରନାଥ ଗସ୍ତରେ ଯାଇ ମୋଦି ଧ୍ୟାନ ମୁଦ୍ରାରେ ବସିଥିଲେ । ଚଳିତ ଥର ଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀକୁ କାହିଁକି ବାଛିଲେ ସେନେଇ ଚର୍ଚ୍ଚା ହେଉଛି । ସେପଟେ ମୋଦି କନ୍ୟାକୁମାରୀରେ ଧ୍ୟାନ ମୁଦ୍ରାରେ ବସିବାକୁ ନେଇ ରାଜନୀତି ତେଜିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ ଏହା ଉପରେ ଆପତି ଉଠାଇଛନ୍ତି । ନିର୍ବାଚନ ପାଇଁ ପ୍ରଚାର ଅବଧି ଶେଷ ହୋଇଥିବା ବେଳେ ମୋଦିଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।