କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

146

କନକ ବ୍ୟୁରୋ : ଆସନ୍ତାକାଲି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।

ଶନିବାର କରୋନା ଟିକାକରାଣ । ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ । ଭାରତ ପାଇଁ ଐତିହାସିକ ଦିନ । ଦୀର୍ଘ ପ୍ରାୟ ୧୦ ମାସ ହେଲା ସମଗ୍ର ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି । ମହାମାରୀକୁ ମାତ ଦେବା ପାଇଁ ହେବ ମେଗା ଟିକାକରଣ । ଜାନୁଆରୀ ୧୬ ଅର୍ଥାତ ଶନିବାର ଦିନ ସାଢେ ୧୦ଟାରେ ଏହି ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସବୁଠାରୁ ବଡ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପୂରା ଦେଶରେ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ବିଶ୍ୱର ସବୁଠୁ ବଡ଼ ଟିକାକରଣ
– କରୋନା ଟିକାକରଣ ପାଇଁ ସାରା ଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ୍ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

କରୋନା ମହାମାରୀକୁ ମାତ ଦେବାପାଇଁ ବ୍ରିଟେନ ଓ ଆମେରିକା ପରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍ସରେ କୋଭିଡ ଟିକାକରଣ ଚାଲିଛି । ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଆରମ୍ଭ ହେବାକୁ ଯାଉଛି ମେଗା ଟିକାକରଣ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ଭାବରେ ଭାରତରେ କୋଭିଡ ଟିକାକରଣ ବେଶ ଗୁରୁତ୍ୱ ରଖୁଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ରାଜ୍ୟରେ କୋଭିଡ୍ ଟିକାକରଣ
– ରାଜ୍ୟର ୧୬୧ଟି କେନ୍ଦ୍ରରେ ହେବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ
– ମୋଟ୍ ୧ ଲକ୍ଷ ୯୨ ହଜାର ୫୫୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି
– ଏମ୍ସକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ଦିଆଯିବ

ପ୍ରଥମ ପର୍ଯ୍ୟାୟରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡି କର୍ମୀଙ୍କ କୋଭିଡ୍ ଟିକାକରଣ ପାଇଁ ସ୍ଥିର ହୋଇଥିବାବେଳେ, କେଉଁମାନେ ଟିକା ନେବେ ନେହିଁ ସେନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ରୁଲବୁକରେ ସୂଚନା ଦିଆଯାଇଛି ।

କିଏ ନେବେନାହିଁ କରୋନା ଟିକା ?
– ୧୮ ବର୍ଷରୁ କମ ବୟସ୍କ
– ଗର୍ଭବତୀ ମହିଳା
– ସ୍ତନ୍ୟପାନ କରାଉଥିବା ମା’
– ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିବା ବ୍ୟକ୍ତି

ସାରାଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ୧ କୋଟି ୬୫ ଲକ୍ଷ ଡୋଜ୍ କିଣିଛନ୍ତି । କୋଭିସିଲ୍ଡ ଟିକାର ଗୋଟିଏ ଶିଶି ୧୦ ଜଣଙ୍କୁ ଓ କୋଭାକ୍ସିନ ଟିକାର ଗୋଟିଏ ଶିଶି ୨୦ ଜଣଙ୍କୁ ଦିଆଯାଇ ପାରିବ ।