ଆଜି ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଆଦିବାସୀ ଗୌରବ ଦିବସ ଭାବେ କରାଯାଉଛି ପାଳନ

ରାଞ୍ଚିରେ ବିର୍ସାମୁଣ୍ଡା ସ୍ମୃତି ଉଦ୍ୟାନ ଓ ସ୍ୱାଧୀନତା ସଂଗ୍ରାମୀ କାର୍ଯ୍ୟାଳୟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

162

କନକ ବ୍ୟୁରୋ : ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଓଡ଼ିଶାର ବିର୍ସା ମୁଣ୍ଡାଙ୍କ ଆଜି ହେଉଛି ଜନ୍ମ ଦିନ । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଭାରତ ସରକାରଙ୍କ ପକ୍ଷରୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ୪୫ରେ ଭିଡିଓ କନଫରେନ୍ସିଂରେ ରାଞ୍ଚିରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବେ ।

ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଅବଦାନ ଅବସ୍ମରଣୀୟ । ମାତ୍ର ୨୫ ବର୍ଷ ବୟସରେ ସେ ଆଦିବାସୀଙ୍କ ଅଧିକାର ତଥା ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହ କରି ଶେଷରେ ସହିଦ ହୋଇଥିଲେ । ସେ ସ୍କୁଲରେ ପଢୁଥିବା ବେଳେ ଇଂରେଜ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ଅତ୍ୟାଚାର କରି ସ୍କୁଲରୁ ବାହାର କରିଦେଇଥିଲେ । ସେବେଠାରୁ ସେ ବ୍ରିଟିସ୍ ଅତାଚାରରୁ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ ।

୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ବିଶ୍ୱାସଘାତକତାର ଶିକାର ହୋଇ ସେ ଇଂରେଜ ହାତରେ ଧରାପଡ଼ିଥିଳେ । ସେହି ବର୍ଷ ଜୁନ୍ ୯ରେ ରାଞ୍ଚିରେ ଜେଲରେ ବିଚାରାଧୀନ ଥିବା ବେଳେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିନକୁ ଆଦିବାସୀ ଗୌରବ ଦିବସ ଭାବେ ପାଳନ କରିବା ପାଇଁ ନିକଟରେ କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଥିଲା । ସପ୍ତାହେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।