ବିନା ଡ୍ରାଇଭରରେ ଚାଲିବ ମେଟ୍ରୋ ଟ୍ରେନ : ଦିଲ୍ଲୀରେ ଚାଳକ ବିହୀନ ସେବାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଥମ ଫେଜରେ ୩୭ କିଲୋମିଟର ହେବ ସେବା; ମନୁଷ୍ୟକୃତ ତ୍ରୁଟିର ଆଶଙ୍କା ରହିବ କମ୍

121

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଉଦଘାଟନ କଲେ ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ । ୩୭ କିଲୋମିଟର ଯାତ୍ରା କରିବ ଏହି ଟ୍ରେନ୍ । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋରେ ସାମିଲ ହେବ । ଏହି ଟ୍ରେନ୍ ବିନା ଡ଼୍ରାଇଭରରେ ଅଟୋମେଟିକ୍ ଭାବେ ଚାଲିବ । ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ ଭାବେ ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ ଓ ପିଙ୍କ ଲାଇନରେ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ୍ ମଜେଂଟା ଲାଇନ ଜନକପୁରୀର ପଶ୍ଚିମରୁ ନୋଏଡ଼ାର ବଟାନିକାଲ ଗାର୍ଡ଼େନ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ । ଏହା ପରେ ୨୦୨୧ରେ ପିଙ୍କ ଲାଇନ୍ରେ ୫୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର ଯୋଜନା ରହିଛି । ଏହି ଟ୍ରେନ୍ ସ୍ୱୟଂଚାଳିତ ହେବ । ମାନବୀୟ ହସ୍ତକ୍ଷେପ କମ୍ ରହିବ । ମନୁଷ୍ୟକୃତ ତୃଟିର ଆଶଙ୍କା କମ୍ ରହିବ । ସାଧାରଣ ମେଟ୍ରୋ ଟ୍ରେନ୍ ଭଳି ଏହି ଡ଼୍ରାଇଭରଲେସ ଟ୍ରେନରେ ୬ଟି କୋଚ ରହିଛି ।

ପାଖାପାଖି ୨ହଜାର ୨ଶହ୮୦ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପ୍ରତେକ କୋଚରେ ୩୮୦ଜଣ ଯାତ୍ରୀ ଯାତ୍ରା କରିପାରିବେ । ଉକ୍ରୃଷ୍ଟ ମାନର ଟେକନିକ୍ ଦ୍ୱାରା ଏହି ଟ୍ରେନ୍ ତିଆରି ହୋଇଛି । ଏହା ଦ୍ୱାରା ଦିଲ୍ଲୀବାସୀ ଉପକୃତ ହୋଇପାରିବା ସହ ବିନା ଡ଼୍ରାଇଭରରେ ଟ୍ରେନ ଚାଳନାର ଉପଲବ୍ଧି କରିପାରିବେ ।