ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ : ସନ୍ଧ୍ୟା ୬ ଟାରେ ବୈଠକ କରିବେ ମୋଦୀ

118

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ । ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢାଯିବ । ୧୮ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ଖୁବଶୀଘ୍ର ଏକ ପ୍ରୋଟକଲ ଜାରି କରାଯିବ । ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକା ନେବା ପାଇଁ ଅନୁମତି ଦିଆଯାଇଥିଲା ।

ଏହାଛଡା ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକିପାରିବେ ଟିକା ନିର୍ମାତା । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଅନୁମତି ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦୀର୍ଘ ୯୨ ଦିନ ଧରି ଚାଲିଥିବା ଟିକାକରଣ ଅଭିଯାନରେ ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଲାଣି । ଦେଶରେ ବର୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କିଛିଦିନ ତଳେ ଋଷର ଟିକା ‘ସ୍ପୁଟନିକ-ଭି’କୁ ମଧ୍ୟ ଅନୁମତି ଦେଇଛନ୍ତି ଭାରତ ସରକାର ।

ଗତ ବର୍ଷ ତୁଳନାରେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ଦେଶରୁ ୨ଲକ୍ଷ ୫୯ ହଜାର ୧୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୭ଶହ ୬୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯ରେ ପହଂଚିଛି । ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୦ ହଜାର ୫୩୦ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୨୦ ଲକ୍ଷ ୩୧ ହଜାର ୯୭୭ । ଗତ ୨୪ ଘଂଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।