ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମ୍ବଲପୁରରେ ଜନସଭା, ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ବରମୁଣ୍ଡା ଯାଏଁ କରିିବେ ରୋଡ ସୋ’

119

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ଏହି କ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ୍ ଲୋରପଙ୍କଠାରେ ଏବଂ ଅପରାହ୍ନ ୫ଟାରେ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା ସହିତ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ମୋଦିଙ୍କ ରୋଡ୍ ସୋ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଗଙ୍ଗନଗର, ଓୟୁଏଟି, ଏବଂ ଶିଖରପୁର ଦେଇ ସିଟି ଓମେନ୍ସ କଲେଜ ରାସ୍ତାରୁ ବରମୁଣ୍ଡା ପଡ଼ିଆରେ ପହଂଚିବ । ବରମୁଣ୍ଡା ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଉପକୂଳ ଓଡ଼ିଶାର ଏହି ୫ଟି ଲୋକସଭା ଆସନର ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।

ସେପଟେ, ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ। ଆସନ୍ତାକାଲି ଅପରାହ୍ନ ୩ଟାରେ ଢେଙ୍କାନାଳ ଓ ପରେ କଟକର ବଡ଼ମ୍ବାରେ ନିର୍ବାଚନୀ ସଭାକୁ ସେ ଉଦ୍ବୋଧନ ଦେବେ। କଟକରେ ନେତାଜୀଙ୍କ ଜନ୍ମସ୍ଥାନରୁ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ ଅମିତ ଶାହା ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।