ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀ ପରିଷଦ ବୈଠକ । ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା

211

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଲା । ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳବଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡକାଇବା ପରେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି । । ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । କେନ୍ଦ୍ର କ୍ୟାବିନେଟରୁ କିଛି ମନ୍ତ୍ରୀଙ୍କୁ ବିଜେପି ସଂଗଠନକୁ ଅଣାଯିବାର ସମ୍ଭାବନା ରହିଛି ।

ସେପଟେ ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ କିଛି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ସଂଗଠନରେ ପରିବର୍ତନ କରିପାରେ । ସୂଚନା ଅନୁସାରେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିପାରେ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଏହାବ୍ୟତୀତ ଗୁଜରାଟ, କର୍ଣ୍ଣାଟକ ସମେତ ତିନୋଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷର ଘୋଷଣା କରାଯାଇପାରେ । ତେବେ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୂଡ଼ାନ୍ତ ନିଷ୍ପତି ନେବେ ।

୨୪ ପାଇଁ ବିଜେପିର ମେଗା ପ୍ଲାନ୍!
– କେନ୍ଦ୍ର କ୍ୟାବିନେଟରୁ କିଛି ମନ୍ତ୍ରୀଙ୍କୁ ମିଳିପାରେ ସଂଗଠନ ଦାୟିତ୍ୱ
– ଅନୁରାଗ ଠାକୁର, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ମିଳିପାରେ ନୂଆ ଦାୟିତ୍ୱ
– ଲୋକସଭା ଆସନ ପାଇଁ ଦେଶକୁ ତିନୋଟି ସେକ୍ଟରରେ ବାଂଟିଲା ଦଳ
– ୩ ସେକ୍ଟର ହେଲା, ଉତରାଂଚଳ, ଦକ୍ଷିଣାଂଚଳ, ପୂର୍ବାଂଚଳ
– କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରତି ଜୋନ୍ରେ ବୈଠକ କରିବେ ଜେପି ନଡ୍ଡା
– ଜୁଲାଇ ୬, ୭, ୮ ତାରିଖରେ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ
– ଜୁଲାଇ ୬ରେ ପୂର୍ବାଂଚଳ, ୭ରେ ଉତରାଂଚଳ ଓ ୮ରେ ଦକ୍ଷିଣାଂଚଳର ନେତାଙ୍କ ସହ ବୈଠକ
– ଜୁଲାଇ ୪ରେ ବିଜେପି ସାଂସଦଙ୍କ ସହ ବୈଠକ କରିବେ ଜେପି ନଡ୍ଡା

ସେପଟେ ଦୁଇ ବର୍ଷ ହେଲା ମୋଦୀ କ୍ୟାବିନେଟରେ ସେମିତି ବଡ଼ଧରଣର ଅଦଳବଦଳ ହୋଇନାହିଁ । ତେଣୁ ଜୁଲାଇ ୩ ତାରିଖ ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।