ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ: କରୋନା ସଂକ୍ରମଣ ବଢୁଥିବା ବେଳେ କଣ କହିବେ ମୋଦି? ଭାରତ-ଚାଇନା ବିବାଦ ନେଇ ଦେଇପାରନ୍ତି ବଡ ସୂଚନା

ଅନଲକ-୨ ନେଇ ରଖିପାରନ୍ତି ମତ

281

କନକ ବ୍ୟୁରୋ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପିଏମଓ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ଆଜି ଅନଲକ-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଂଟେଟମେଂଟ ଜୋନରେ ଲକଡାଉନ ପାଳନ କରାଯିବ । ସେପଟେ କେନ୍ଦ୍ର ସରକାର ଭାରତ-ଚୀନ୍ ବିବାଦକୁ ଦୃଷ୍ଟିରେ ରଖି ଗତକାଲି ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ତେଣୁ ଏସବୁ ଭିତରେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କଣ କହିବେ ତା ଉପରେ ସଭିଙ୍କ ନଜର ରହିଛି ।

କୁହାଯାଉଛି, ଚୀନ୍ ସହିତ ବିବାଦ ପ୍ରସଙ୍ଗରେ ମୋଦି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି । ତେବେ ଏନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ମାର୍ଚ୍ଚରେ ଜନତା କର୍ଫ୍ୟୁର ଘୋଷଣା କରିଥିଲେ । ୨୪ ମାର୍ଚ୍ଚରେ ଲକଡାଉନ-୧ର ଘୋଷଣା କରିଥିଲେ । ୩ ଏପ୍ରିଲରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଦୀପ ଜଳାଇଥିଲେ । ୧୪ ଏପ୍ରିଲରେ ଲକଡାଉନ-୨ର ଘୋଷଣା କରିଥିଲେ । ଏବଂ ୧୨ ମେରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ।