୫୦ ଦିନରେ ୧୨୫ ରାଲି କରିବେ ମୋଦି ! ୟୁପି ମିରଟରୁ ଆରମ୍ଭ କରିବେ ଅଭିଯାନ, ମାର୍ଚ୍ଚ ୨୯ ଓ  ଏପ୍ରିଲ ପହିଲାରେ ଓଡିଶାରେ କ୍ୟାମ୍ପେନ୍ । 

173

କନକ ବ୍ୟୁରୋ : ୫୦ ଦିନରେ ୧୨୫ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାରଠାରୁ ୟୁପି ମିରଟରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ମାର୍ଚ୍ଚ ଶେଷ ସପ୍ତାହରୁ ମେ ଦ୍ୱିତୀୟ ସପ୍ତାହ ଯାଏଁ ପ୍ରଚାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ମାର୍ଚ୍ଚ ୨୯ ଓ ଏପ୍ରିଲ ପହିଲାରେ ଓଡିଶାରେ କ୍ୟାମ୍ପେନ କରିବେ ମୋଦି ।

ନିର୍ବାଚନ ଋତୁରେ ନେତା ହୋଇଛନ୍ତି ଭୋଟର ମୁହାଁ । ଆଉ ଏହି ସମୟରେ ବିଜେପିର ସବୁଠାରୁ ବଡ ଚେହେରା ନରେନ୍ଦ୍ର ମୋଦି ଓ ଅମିତ ଶାହା ପାଖାପାଖି ୧୨୫ରୁ ୧୫୦ ରାଲିକୁ ସମ୍ବୋଧିତ କରିବେ । ଗୁରୁବାର ଦିନ ଉତ୍ତରପ୍ରଦେଶ ମିରଟରୁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ନରେନ୍ଦ୍ର ମୋଦି । ମାର୍ଚ୍ଚ ଶେଷ ସପ୍ତାହରୁ ମେ ମଧ୍ୟ ଯାଏଁ ମୋଦି ଓ ଶାହା ୧୨୫ରୁ ୧୫୦ଟି ରାଲି କରିବେ । ୧୫ ଦିନ ମଧ୍ୟରେ ପ୍ରାୟ ଦେଢଶହ ରାଲି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଗୁରୁବାର ଦିନ ମିରଟରୁ ନିର୍ବାଚନୀ ରାଲି ଆରମ୍ଭ କରି ସେହିଦିନ ଜମ୍ମୁରେ ବି ପ୍ରଚାର କରିବେ ମୋଦି । ଏହାପରେ ମାର୍ଚ୍ଚ ୨୯ ଓ ଏପ୍ରିଲ ୧ତାରିଖରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୩୦ ଓ ଏପ୍ରିଲ ୩ରେ ପଶ୍ଚିମବଙ୍ଗ ଓ ଆସାମରେ ନିର୍ବାଚନୀ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୩୦ରେ ଇଟାନଗରରେ ସାଧାରଣ ସଭାରେ ଉଦବୋଧନ ଦେବେ ମୋଦି । ଏହାସହ ମୈ ଭି ଚୌକିଦାର କ୍ୟାମ୍ପେନକୁ ସମର୍ଥନ ଜଣାଇଥିବା ବ୍ୟକ୍ତିଙ୍କ ସହ ସେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ।

ଏପ୍ରିଲ ୧୧ରୁ ମେ ୧୯ ଭିତରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି । ନିର୍ବାଚନ ସମୟରେ ମୋଦି ଯେଭଳି ସବୁ ରାଜ୍ୟକୁ ଯାଇପାରିବେ ସେ ନେଇ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି । ସବୁ ରାଜ୍ୟର ପ୍ରତ୍ୟେକ ଭୋଟରଙ୍କ ପାଖରେ ଯେଭଳି ମୋଦି ପହଂଚିବେ ସେ ନେଇ ରଣନୀତି ପ୍ରସ୍ତୁତ ହେଉଛି । ତେବେ ଏଥର ବିଜେପିର ଫୋକସରେ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରହିବ ବୋଲି ଚର୍ଚ୍ଚା ହେଉଛି । ଏହି ୩ ରାଜ୍ୟରେ ୧୬୨ଟି ଲୋକସଭା ଆସନ ରହିଛି । ୨୦୧୪ରେ ଏନଡିଏ ଏଥିରୁ ୧୦୬ଟି ଆସନ ହାତେଇଥିଲା ।

୨୦୧୪ରେ ମୋଦିଙ୍କ ନେତୃତ୍ୱରେ ହୋଇଥିବା ପ୍ରଚାର ବିଜେପି ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ତେବେ ଏଥର ମଧ୍ୟ ସେହି ଫର୍ମୁଲାରେ ଭୋଟ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ୨୦୧୩ସେପ୍ଟେମ୍ବରରେ ମୋଦିଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଏହାପରେ ୨୦୧୪ ମେ ମାସ ପର୍ଯ୍ୟନ୍ତ ମୋଦି ସାରା ଦେଶରେ ପ୍ରାୟ ୪୨୫ଟି ନିର୍ବାଚନୀ ରାଲି କରିଥିଲେ ।