ଆଜି ସକାଳ ୧୦ଟାରେ ଦେଶବାସୀ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ : ଟ୍ୱିଟ କରି ସୂଚନା ଦେଲା ପିଏମଓ

୧୦୦ କୋଟି ଡୋଜ ଟିକାକରଣ ପରେ ମୋଦୀଙ୍କ ଭାଷଣ ଉପରେ ସାରା ଦେଶର ନଜର

244

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଏହି ସମୟରେ ଆସିଛି, ଯେତେବେଳେ ଦେଶରେ କରୋନା ଟିକାକରଣ ଶହେ କୋଟି ଡୋଜରେ ପଂହଚିଛି । ତେଣୁ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଶହେ କୋଟି ଡୋଜ ଟିକାକରଣ କରି ଦେଶ ବିଶ୍ୱରେ ଏକ ମାଇଲଖୁଂଟ ସ୍ଥାପନ କରିଛି । ଏଥିମଧ୍ୟରୁ ୭୧ କୋଟିି ୯ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ ନେଇଥିବାବେଳେ ୨୯ କୋଟି ୫୩ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଭୟ ଯାଇନାହିଁ । ବ୍ରିଟେନ ଓ ଋଷରେ କରୋନା ସଂଖ୍ୟା ବଢୁଛି । ଏଭଳି ସ୍ଥଳେ ଆଗକୁ ଦୀପାବଳି ଓ ଛଟପୂଜା ଥିବାରୁ ଲୋକଙ୍କୁ ସତର୍କ ପାଇଁ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି ।

ଏହାଛଡା ଶିଶୁଙ୍କ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ କିଛି କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶିଶୁଙ୍କ ପାଇଁ ଟିକାକରଣକୁ ଡିଜିସିଏ ଯେକୌଣସି ସମୟରେ ଅନୁମତି ଦେଇପାରେ । ଏହାଛଡା ଦେଶ ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି । କାଶ୍ମୀର ସମସ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ତେଣୁ ପାକିସ୍ତାନକୁ ସମ୍ବୋଧନ ବେଳେ ଚେତାବନୀ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।