କନକ ବ୍ୟୁରୋ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଗଣମାଧ୍ୟମରୁ ବାହାରି ଯିବା ପାଇଁ ଚିନ୍ତା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କ’ଣ ପାଇଁ ସେ ଏଭଳି ଚିନ୍ତା କରୁଛନ୍ତି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି । ଫେସ୍ବୁକରେ ମୋଦିଙ୍କର ଫଲୋଅରଙ୍କ ସଂଖ୍ୟା ହେଉଛି- ୪ କୋଟି ୪୫ ଲକ୍ଷ । ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ୩ କୋଟି ୫୨ ଲକ୍ଷ ମୋଦିଙ୍କ ଫଲୋଅର ଅଛନ୍ତି ।
This Sunday, thinking of giving up my social media accounts on Facebook, Twitter, Instagram & YouTube. Will keep you all posted.
— Narendra Modi (@narendramodi) March 2, 2020
ବଡ଼ କଥା ହେଉଛି ଟ୍ୱିଟରରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଫଲୋଅରଙ୍କ ସଂଖା ହେଉଛି ୭ କୋଟି ୩୨ ଲକ୍ଷ । ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଟ୍ୱିଟରରେ ଫଲୋଅର ସଂଖ୍ୟା ହେଉଛି ୧୧ କୋଟି ୩୩ ଲକ୍ଷ । ସାରା ଦୁନିଆରେ ସୋସିଆଲ ମିଡ଼ିଆରେ ତତ୍ପର ଥିବା ଏବଂ ଅଧିକ ଲୋକପ୍ରିୟ ଥିବା ଯେଉଁ ହାତ ଗଣତି ବ୍ୟକ୍ତି ଅଛନ୍ତି ସେମାନଙ୍କ ତାଲିକାର ଆଗ ଧାଡ଼ିରେ ଅଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଏ ଫେସ୍ବୁକ୍ ହେଉ, ଟ୍ୱିଟର ହେଉ କିମ୍ବା ଇନଷ୍ଟାଗ୍ରାମ ଓ ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ । ସବୁଠି ନରେନ୍ଦ୍ର ମୋଦିଙ୍କ ଫଲୋଅର ବା ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ ।
Give up hatred, not social media accounts. pic.twitter.com/HDymHw2VrB
— Rahul Gandhi (@RahulGandhi) March 2, 2020
ସୋସିଆଲ ମିଡିଆ ଛାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ଏବେ ଏହାକୁ ନେଇ ଚାରିଆଡେ ଜୋରଧରିଛି ଚର୍ଚ୍ଚା । ବିରୋଧି ଦଳମାନେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି, ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର । ସେହିପରି କଂଗ୍ରେସ ନେତା ରଣଦୀପ ସ୍ୱର୍ଯ୍ୟେୱାଲା ଲେଖିଛନ୍ତି, ମୋଦୀ ନାଁ ନେଇ ଯେଉଁମାନେ ଟ୍ରଲ କରୁଛନ୍ତି ସେମାନଙ୍କୁ ମୋଦି ବୁଝାଇବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏକ ନୂଆ ସୋସିଆଲ ମିଡିଆ ଜିଏବି ଡଟକମ ମୋଦିଙ୍କୁ ଆମନ୍ତ୍ରଣ ଜଣାଇଛି ।
ତେବେ ମୋଦିଙ୍କ ଏହି ଟୁଇଟ ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଅନେକ ପ୍ରତିକ୍ରିୟା । ଦେଶର ଜନତାଙ୍କୁ ଏହି ଟ୍ୱିଟ ଦ୍ୱନ୍ଦ୍ୱରେ ମଧ୍ୟ ପକାଇ ଦେଇଛି । ଏବେ ଟୁଇଟରରେ ଟ୍ରେଣ୍ଡ ହୋଇଛି ନୋ ସାର । ମୋଦି ତାଙ୍କର ନିଷ୍ପତିକୁ ନେଇ ପୁଣି ଥରେ ବିଚାର କରିବା ଦରକାର ବୋଲି ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିଛି । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ସେ ମୋଦିଙ୍କ ପ୍ରଶଂସକ କିମ୍ବା ସମର୍ଥକ ନୁହନ୍ତି, କିନ୍ତୁ ଚାହୁଁଛନ୍ତି ମୋଦି ସୋସିଆଲ ମିଡିଆ ନ ଛାଡନ୍ତୁ । ଆଉ କେହି କେହି କୌଳାସର ଶିବଙ୍କ ସହିତ ତୁଳନା କରିଛନ୍ତି ମୋଦିଙ୍କୁ ଏବଂ ସୋସିଆଲ ମିଡିଆ ନ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି ।