କନକ ବ୍ୟୁରୋ : ଶୁକ୍ରବାର ରାଜସ୍ଥାନର ବାଡମେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ସହ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି । ମୋଦୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ରେ ଥିବା ଦେଶରୁ ପରମାଣୁ ଅସ୍ତ୍ର ଶେଷ କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ପଚାରିବାକୁ ଚାହୁଁଛି କାହା ଇସାରାରେ ଏଭଳି କରୁଛନ୍ତି ଇଣ୍ଡିଆ ମେଣ୍ଟରେ ଥିବା ଦଳ । ଭାରତକୁ ଦୁର୍ବଳ କରିବାକୁ କାହା ଚାପରେ ଇଣ୍ଡିଆ ମେଣ୍ଟ ଦେଶରୁ ପରମାଣୁ ଅସ୍ତ୍ର ଶେଷ କରିବାକୁ ଚାହୁଁଛି ।

ଇଣ୍ଡିଆ ମେଣ୍ଟରେ ଥିବା ଏକ ଦଳ ନିଜ ଘୋଷଣାପତ୍ରରେ କହିଛି, ଦେଶରୁ ପରମାଣୁ ଅସ୍ତ୍ର ଶେଷ କରିଦେବ । କିନ୍ତୁ ଯେତେବେଳେ ଆମର ୨ ପଡୋଶୀ ପରମାଣୁ ଅସ୍ତ୍ରକୁ ଆହୁରି ବୃଦ୍ଧି କରୁଛନ୍ତି ସେତେବେଳେ ଭାରତ ପରମାଣୁ ଅସ୍ତ୍ର ନଷ୍ଟ କରିବା ଉଚିତ୍ କି? ଏହା କିଭଳି ମେଣ୍ଟ ଯିଏ ଭାରତକୁ ଦୁର୍ବଳ କରିବାକୁ ଚାହୁଁଛି । ଦେଶରେ ରାମମନ୍ଦିର ଭଳି ପବିତ୍ର କାମ ହେଲା, କିନ୍ତୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବହିଷ୍କାର କଲା କଂଗ୍ରେସ । ସବୁ ବିକାଶମୂଳକ କାମକୁ କଂଗ୍ରେସ ବିରୋଧ କରୁଛି ।କଂଗ୍ରେସ ସେହି ସବୁ ବ୍ୟକ୍ତିଙ୍କ ସାଥ ଦେଉଛି ଯେଉଁମାନେ ଦେଶବିରୋଧୀ । ଦେଶର ସୀମାବର୍ତ୍ତୀ ଗାଁକୁ ଭାରତର ଶେଷ ଗାଁ ବୋଲି କହୁଥିଲେ କିନ୍ତୁ ଆମ ସରକାରରେ ସୀମାବର୍ତ୍ତୀ ଗାଁକୁ ପ୍ରଥମ ଗାଁ ବୋଲି କହିଲୁ ଏବଂ ସେଠାରେ ବିକାଶକୁ ପ୍ରାଥମିକତା ଦେଲୁ ।